ଚାଇନିଜଙ୍କୁ ବୁଦ୍ଧି ଶିଖାଇଦେଲା ଭାରତ
ଚାଇନିଜଙ୍କୁ ବୁଦ୍ଧି ଶିଖାଇଦେଲା ଭାରତ
admin
Jan 25, 2021 - 06:40
Updated: Jan 25, 2021 - 06:40
ନୂଆଦିଲ୍ଲୀ : ପୁଣି ଥରେ ଚାଇନା ନିଜର ମନ୍ଦ ଉଦେ୍ଧଶ୍ୟ ପରିପ୍ରକାଶ କରିଛି । ସୀମା ବିବାଦକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଥିବାବେଳେ ଚାଇନା ପୁଣି ପିଠିରେ ଛୁରୀ ଭୁଷିବାର ଉଦ୍ୟମ କରିଛି । ଏବେ ପ୍ରବଳ ଶୀତ ଯୋଗୁଁ ନାକୁଲା ଅଂଚଳରେ ପ୍ରବଳ ବରଫପାତ ହୋଇଛି । କିନ୍ତୁ ଚାଇନାର ହୀନ ଉଦ୍ୟମ ସମ୍ପର୍କରେ ଭାରତୀୟ ସେନା ସଜାଗ ରହିବା ସହ ସେଠାରେ ବି ଯବାନମାନେ ଦିନରାତି ଚାଇନିଜଙ୍କ ଗତିବିଧି ଉପରେ ନଜର ରଖିଛି ।
ଚାଇନିଜ ସୈନିକମାନେ ଭାରତୀୟ ସୀମା ଆଡ଼କୁ ମାଡ଼ି ଆସୁଥିବାର ଦେଖି ଭାରତୀୟ ଯବାନମାନେ ସତର୍କ ହୋଇଯାଇଥିଲେ । ସୀମାନ୍ତ ନିକଟରେ ଉଭୟ ଦେଶର ଯବାନମାନେ ବନ୍ଧୁକ ରଖିନଥା’ନ୍ତି । ତେଣୁ ସେମାନେ ହାତାହାତି ହୋଇଥା’ନ୍ତି । ନାକୁଲା ନିକଟରେ ଉଭୟ ଦେଶର ସୈନିକମାନେ ହାତାହାତି ହେବାରୁ ୧୦ରୁ ୧୨ ଯବାନ ଆହତ ହୋଇଥିବା କୁହାଯାଉଛି । ଭାରତୀୟ ଯବାନମାନେ ପୂର୍ବରୁ ମଧ୍ୟ ଚାଇନିଜ ସେନାଙ୍କୁ ପଛରୁ ହଟିବାକୁ ବାଧ୍ୟ କରିଥିଲେ । ଭାରତୀୟ ଯବାନମାନେ ନିଜର ରଣନୀତି ବଳରେ ସେମାନଙ୍କର ଦୃଢ଼ ମୁକାବିଲା କରିବାରୁ ଏବେ ଚାଇନା ସେନା ପଛଘୁଂଚା ଦେଇ ଫେରିଯାଇଛନ୍ତି ।
ଶନିବାର ମଧ୍ୟାହ୍ନରେ ଚାଇନିଜ ସୈନିକମାନେ ଜାଣିଶୁଣି ଝଗଡ଼ା ଆରମ୍ଭ କରିଥିଲେ । ସେମାନେ ଭାବିଥିଲେ ନାକୁଲାଠାରେ ତୁଷାରପାତ ଯୋଗୁଁ ଅଳ୍ପସଂଖ୍ୟକ ଭାରତୀୟ ଯବାନ ରହିଥିବେ । କିନ୍ତୁ ପୂର୍ବରୁ ଭାରତ ସତର୍କ ରହିବା ସହ ଗୁପ୍ତରେ ସୈନିକମାନଙ୍କୁ ମୁତୟନ କରାଯାଇଥିଲା ।