ଜମିବାଡି ବିବାଦକୁ ନେଇ କଳହ, ଏସିଡ୍ ମାଡ
ଟିଟିଲାଗଡ଼ : ଜମିବାଡ଼କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ କଳହ ବଡ଼ ରୂପ ନେଇଛି । ଏସିଡ୍ ମାଡରେ ୬ ଜଣ ଆହତ ହୋଇଛନ୍ତି । ଘଟଣାଟି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସାହୁପଡାରେ ଘଟିଥିବା ଜଣାପଡ଼ିଛି । ଆହତ ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି । ସମସ୍ତ ଆହତଙ୍କୁ ବଙ୍ଗୋମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ।
ଏସିଡ ମାଡ ଜମିବାଡିକୁ ନେଇ ହୋଇଥିବା ପ୍ରକାଶ କରିଛନ୍ତି ଏସିଡ୍ ମାଡରେ ଆହତ ହୋଇଥିବା ଜଗବନ୍ଧୁ । ତାଙ୍କ କହିବା ଅନୁସାରେ ତାଙ୍କ ପରିବାର ଓ ତୁଳସୀ ସାହୁଙ୍କ ପରିବାର ଉଭୟେ ବଙ୍ଗୋମୁଣ୍ଡା ସାହୁପଡାରେ ଥିବା ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି ।
ତେବେ ଜଗବନ୍ଧୁଙ୍କ ପରିବାର ଏକ ପାରିବାରିକ ବାହାଘରେ ଯୋଗଦେଇ ରବିବାର ଘରକୁ ଫେରିଥିଲେ । ସେହି ଦିନ ତୁଳସୀ ସାହୁ ତାଙ୍କ କୁକୁଡାକୁ ଜଗବନ୍ଧୁଙ୍କ ପରିବାର ଚୋରି କରିଥିବା ଅଭିଯୋଗ ଆଣିଥିଲେ । ଏହାପରେ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା । ତେବେ ଝଗଡା ଉଗ୍ର ରୂପ ନେବା ପରେ ଏସିଡ୍ ଆକ୍ରମଣ ମଧ୍ୟ ହୋଇଛି । ଆହତମାନେ ହେଲେ ସୁବାଷ ସାହୁ, ଜଗବନ୍ଧୁ ସାହୁ, ଖଗ ସାହୁ, ସଞ୍ଜୁସାହୁ ଓ ରିନା ସାହୁ । ସମସ୍ତ ଆହତ ଜଗବନ୍ଧୁଙ୍କ ପରିବାରର । ଏହି ମାମଲାରେ ବଙ୍ଗୋମୁଣ୍ଡା ପୋଲିସ ତୁଳସୀ ସାହୁ ଓ ନେପାଳ ସାହୁଙ୍କୁ ଗିରଫ କରି ତଦନ୍ତ କରୁଛି ।




admin 