ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ଓ ମେ’ ୧୦ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ୧୩ ତାରିଖରେ ଭୋଟ ଗଣନା ଓ ୧୫ ତାରିଖ ସୁଦ୍ଧା ଉପନିର୍ବାଚନ ସଂକ୍ରାନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଛନ୍ତି ।
ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ୱା ଆର୍ଥିକ ସହାୟତା ଭୋଟରଙ୍କୁ ଯଚାଯାଇ ପାରିବ ନାହିଁ ବୋଲି ଶ୍ରୀ ଧଳ କହିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ୱା ରାଜନୈତିକ ଦଳମାନେ ପ୍ରଚାର ଗାଡ଼ିରେ ମାଇକ୍ ବାନ୍ଧି ରାତି ୧୦ ଟାରୁ ସକାଳ ୬ଟା ପର୍ୟ୍ୟନ୍ତ ପ୍ରଚାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ସବୁ ବୁଥ୍ରେ ଶତ ପ୍ରତିଶତ ୱେବ୍ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତିା ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ ପୂର୍ବରୁ ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ ବୋଲୁ କୁହାଯାଇଛି ।
ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ନିମନ୍ତେ ନିର୍ବାଚନ କାର୍ୟ୍ୟ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଏନ୍ସିପିରୁ ବିକ୍ରମ ସ୍ୱାଇଁ, ବହୁଜନ ସମାଜ ପାର୍ଟିରୁ ମଧୁସୂଦନ ଯାଦବ, ସିପିଆଇ (ଏମ୍)ର ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ଶିବାନନ୍ଦ ରାୟ, ଭାରତୀୟ ଜନତା ପାର୍ଟିର ସଜ୍ଜନ ଶର୍ମା, ଅନୀତା ଶୁଭଦର୍ଶିର୍ନୀ ଓ ଠାକୁର ରଞ୍ଜିତ ଦାସ, ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ପ୍ରମୁଖ ଉପସ୍ଥିତ ରହିଥିଲେ ।




admin 