ଧନୁଯାତ୍ରା କାହିଁକି ବନ୍ଦ ହେଲା..., ଜାଣନ୍ତୁ
ଧନୁଯାତ୍ରା କାହିଁକି ବନ୍ଦ ହେଲା..., ଜାଣନ୍ତୁ
ବରଗଡ଼: ଜାନୁଆରୀ ୭ରୁ ୧୭ ତାରିଖ ଯାଏ ହେବାକୁ ଥିବା ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ବର୍ତ୍ତମାନର କୋଭିଡ୍ କଟକଣା ଦୃଷ୍ଟିରୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ଗାଇଡ୍ଲାଇନ୍ ପରେ ଏହାର ପୁନର୍ବିଚାର କରାଯିବ ଏବଂ ପାଳନ ଯୋଗ୍ୟ ସ୍ଥିତି ଉତ୍ପନ୍ନ ହେଲେ ଆଉ ଥରେ କମିଟି ବୈଠକ ଡକାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ଆବାହକ ଡିଆଇପିଆରଓ କଲ୍ୟାଣୀ ଦାଶ ଘୋଷଣା କରିଛନ୍ତି ।
୭୩ତମ ବରଗଡ଼ ଧନୁଯାତ୍ରା ପାଳନ ପାଇଁ ଶୁକ୍ରବାର ଯାତ୍ରା କମିଟି ସଭାପତି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକାରୀ ବୈଠକ ବସିଥିଲା ।ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ କହିଥିଲେ ଯେ, ଡିସେମ୍ବର ଗାଇଡ୍ ଲାଇନ୍ରେ ଯାତ୍ରା ଅପେରାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ତାକୁ ୨ ହଜାର ଲୋକଙ୍କ ମଧ୍ୟରେ ସୀମିତ ରଖିବା ପାଇଁ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି । ଏଠାରେ ଯାତ୍ରା ସମୟରେ ଦୈନିକ ଦେଢ଼ ହଜାର କଳାକାରଙ୍କ ସମେତ ଚାରି ଗୁଣ ଦର୍ଶକଙ୍କ ଭିଡ଼ ହେଉଥିବାରୁ ବର୍ତ୍ତମାନ ପାଇଁ ଯାତ୍ରା ସମ୍ଭବପର ହେଉନାହିଁ ବୋଲି ସ୍ପଷ୍ଟ କରିଥିଲେ ।
ଉପସ୍ଥିତ କାର୍ୟ୍ୟକାରୀ କମିଟିର କିଛି ସଦସ୍ୟ ଖୋଲା ମଞ୍ଚ ସମ୍ଭବ ନହେଲେ ଡିଜିଟାଲ ଫୋରମରେ ଷ୍ଟାଡ଼ିୟମ ଭଳି ନିବୁଜ୍ ପଡ଼ିଆରେ ସୀମିତ କଳାକାର ଓ ଆୟୋଜକଙ୍କ ଉପସ୍ଥିତିରେ ଆୟୋଜନ କରାଯାଇ ଗଣମାଧ୍ୟମ ସାହାଯ୍ୟରେ ପ୍ରଚାର ପ୍ରସାର କରାଯାଉ ବୋଲି ଦାବି କରିଥିଲେ । ଧନୁଯାତ୍ରା ଖାଲି ଗୋଟେ ମଞ୍ଚରେ ନହୋଇ ଏକାଧିକ ସ୍ଥାନ ଓ ମଞ୍ଚରେ ହେଉଥିବାରୁ ଗୋଟିଏ ଛାତ ତଳେ କରାଗଲେ ପରମ୍ପରାକୁ ବାଧା ସାଜିବା ସହ ଲୋକଙ୍କ ଭାବାବେଗକୁ ଆଘାତ କରିବାର ସମ୍ଭାବନା ରହିଛି ବୋଲି କମିଟିର କିଛି ସଦସ୍ୟ ମତବ୍ୟକ୍ତ କରିଥିଲେ ।




admin 