ନବୀନଙ୍କୁ ଏପରି କହିଲେ ମମତା
ଭୁବନେଶ୍ୱର: ସଂଘୀୟ ଢାଂଚା ସୁଦୃଢ଼ ଆବଶ୍ୟକ । ପଡ଼ୋଶୀ ରାଜ୍ୟ ଭାବେ ଆମର ଭଲ ସମ୍ପର୍କ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ନିବିଡ଼ ସମ୍ପର୍କ । ଓଡ଼ିଶାରେ ବାତ୍ୟା ହେଲେ ପଶ୍ଚିମବଙ୍ଗ ପ୍ରଭାବିତ ହୁଏ । ନବୀନ ପଟ୍ଟନାୟକ ଜଣେ ବହୁତ ବଡ଼ ନେତା ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ଦିନିଆ ଗସ୍ତ ଶେଷ କରି କୋଲକାତା ଫେରିଯିବା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ଦୁଇ ଆଂଚଳିକ ଦଳର ସୁପ୍ରିମୋଙ୍କ ମଧ୍ୟରେ ରାଜନୀତିକ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନଥିବା ଦୁଇ ନେତା କହିଥିବାବେଳେ ସଂଘୀୟ ବ୍ୟବସ୍ଥାର ସ୍ଥାୟିତ୍ୱ ଓ ସୁଦୃଢ଼ ବଜାୟ ରହିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଦୁଇ ନେତା କହିଥିବାବେଳେ ପରସ୍ପରକୁ ଦେଇଥିବା ଉପହାରକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ତିନିରଥର କାଠ ତିଆରି ପ୍ରତିକୃତି ସମେତ ଛେନାପୋଡ଼ ଓ ରୂପା ତାରକାସିର କାରୁକାର୍ୟ୍ୟର ଉପହାର ଦେଇଥିଲେ । ମମତା ମଧ୍ୟ ସାଙ୍ଗରେ ଆଣିଥିବା ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ଶାଲ୍ ନବୀନଙ୍କୁ ଉପହାର ଦେବା ସହ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ଚିତ୍ର ନିକଟରେ ଏକ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ ।




admin 