ନବପ୍ରବର୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର

ନବପ୍ରବର୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର

ନବପ୍ରବର୍ତନ ହିଁ ସଫଳ ଉଦ୍ୟୋଗୀ ହେବାର ମୂଳମନ୍ତ୍ର

ଭୁବନେଶ୍ୱର : ନବପ୍ରବର୍ତନ, ଧୈର୍ଯ୍ୟ ଓ ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ବୋଲି ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅନ୍ତର୍ଗତ ଇନୋଭେସନ୍‌ ସେଲ୍‌ର ନିର୍ଦ୍ଦେଶକ ଡ. ମୋହିତ ଗମ୍ଭୀର କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଏକ ଉଦ୍ୟୋଗୀ ପ୍ରଶିକ୍ଷଣ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ଼. ଗମ୍ଭୀର ଏହା କହିଛନ୍ତି । 

ଏହି କର୍ମଶାଳାରେ ମୁଖ୍ୟବକ୍ତା ରୂପେ ଏଜି-ହବ୍‌, ହାଇଦ୍ରାବାଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ବିଜୟ ନଦୀମିନତି ଯୋଗ ଦେଇଥିଲେ । ଶ୍ରୀ ନଦୀମିନତି ତାଙ୍କର ବକ୍ତବ୍ୟରେ ଉଦ୍ୟମୀ, ଉଦ୍ୟମୀତା, ଉଦ୍ୟୋଗୀ ଓ ସଫଳ ଉଦ୍ୟୋଗର ସୋପାନ ଗୁଡ଼ିକ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଅତୀତରେ ଅନେକ ସଫଳ ଉଦ୍ୟୋଗୀ ତିଆରି କରିଛି ଏବଂ ଭବିଷ୍ୟତରେ ଅନେକ ନିଯୁକ୍ତି ପ୍ରଦାନକାରୀ ସଫଳ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଗଢ଼ି ତୋଳିବ ।

ବିଶ୍ୱବିଦ୍ୟାଳୟର ଉପ-କୁଳପତି ପ୍ରଫେସର ଡ. ପ୍ରଦୀପ୍ତ କୁମାର ନନ୍ଦ କର୍ମଶାଳାରେ ଯୋଗ ଦେଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଡ. ନନ୍ଦ ୨୨,୦୦୦ ବର୍ଗଫୁଟ ବିଶିଷ୍ଟ ସୋଆ ଇନ୍‌କ୍ୟୁବେଟର ବିଷୟରେ ବର୍ଣ୍ଣନା କରିଥିଲେ । ସେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏହି ଇନ୍‌କ୍ୟୁବେଟର ବ୍ୟବହାର କରିଥିବା ୧୬ ଜଣ ସଫଳ ଉଦ୍ୟୋଗୀଙ୍କ  ବିଷୟରେ ଉଲ୍ଲେଖ କରିଥିଲେ । ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌)ର ଡିନ୍‌ ପ୍ରଫେସର ଡ. ବିଜୟ କୁମାର ସାହୁ ଏହି ଅବସରରେ ଯୋଗ ଦେଇ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶେଷରେ ସୋଆର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗର ଶ୍ରୀ ଅଶୋକ କୁମାର ନାୟକ ସୋଆ ଇନ୍‌କ୍ୟୁବେଟରର ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଜଣାଇଥିଲେ ଏବଂ ସମସ୍ତଙ୍କୁ ଉଦ୍ୟମୀ ହେବାକୁ ଉତ୍ସାହିତ କରିଥିଲେ । 

ଏହି କାର୍ଯ୍ୟକ୍ରମକୁ ସୋଆ ଇନୋଭେସନ୍‌ ସେଲ୍‌ର ସଚିବ ତଥା ମ୍ୟାନେଜର କର୍ପୋରେଟ ରିଲେସନ୍‌ ଶ୍ରୀ ଅଭିଷେକ ପଟ୍ଟନାୟକ ପରିଚାଳନା କରିଥିଲେ ।