ନବୀନ @ ୭୬

ନବୀନ @ ୭୬

ନବୀନ @ ୭୬

ଭୁବନେଶ୍ବର: ସିକିମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମ୍ଲିଂ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ପରେ ନବୀନ ହେଉଛନ୍ତି ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଯିଏ କ୍ରମାଗତ ଭାବେ ସର୍ବାଧିକ ସମୟ ପାଇଁ ମୁଖ୍ୟମନ୍ତ୍ରୀ ଅଛନ୍ତି। ଓଡ଼ିଶା ରାଜନୀତିକୁ ପାଖାପାଖି ୨୦ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣ ଭିତରେ ରଖିଥିବା ନବୀନଙ୍କ ପାଇଁ ଏହି ବର୍ଷଟି ବ୍ୟକ୍ତିଗତ ଭାବେ ଯେତିକି ମହତ୍ତ୍ବପୂର୍ଣ୍ଣ, ରାଜନୈତିକ ଦୃଷ୍ଟିକୋଣରୁ ସେତିକି ଗୁରୁତ୍ବପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୫ ପୂରି ଆଜିଠାରୁ ୭୬ ଚାଲିଲା। ଏହାକୁ ଦୃଷ୍ଟିରେ ରଖି ସବୁଆଡ଼େ ତାଙ୍କ ଜନ୍ମଦିନ ପାଳନ କରିବାକୁ ତତ୍ପରତା ପ୍ରକାଶ ପାଇଛି। ତେବେ ସେ ଆଜି ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ତେବେ କର୍ମୀମାନେ ଏହି ସମୟରେ ଲୋକମାନଙ୍କ ସେବା କରିବାକୁ ପରାମର୍ଶ ଦେଇଛନ୍ତି ।ନବୀନନ ଏକ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖିଛନ୍ତି। ଏହି ଦୁଇ ଦଶନ୍ଧି ଭିତରେ କିଛି ହାସଲ ହୋଇଛି, ଅନେକ ବାକି ରହିଛି। କିଛି ପ୍ରକଳ୍ପ ବା ଯୋଜନାକୁ ସଫଳତା ମିଳିଛି, ଅଧିକାଂଶ ବିଫଳ ବା ଫାଇଲ ଭିତରେ ଆଜି ବି ନିଜ ଭାଗ୍ୟ ଦରାଣ୍ଡୁଛି। 

ଦୁଇ ଦଶନ୍ଧି ଭିତରେ ଆର୍ଥିକ ଦୁଃସ୍ଥିତି ପଞ୍ଝାରୁ ରାଜ୍ୟକୁ ମୁକୁଳାଇବା, ଅନାହାର ମୃତ୍ୟୁ ଅପବାଦ ଦୂର କରିବା, ସଫଳତାର ସହିତ ବିପର୍ୟ୍ୟୟ ମୁକାବିଲା, ଏକାଧିକ ଇସ୍ପାତ କାରଖାନା ସ୍ଥାପନ, ବନ୍ଦର ପ୍ରତିଷ୍ଠା ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ଅନ୍ୟରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଓ ଆନ୍ତର୍ଜାତିକ କ୍ଷେତ୍ରରେ ବି ଚର୍ଚ୍ଚାକୁ ଆସିଛି ଓଡ଼ିଶା। ଜାତୀୟ ହକି ଦଳର ପ୍ରାୟୋଜକ ହୋଇ ଓଡ଼ିଶା ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଟୋକିଓ ଅଲିମ୍ପିକ୍ସରେ ପଦକ ଜିଣିବା ପରେ ଭାରତୀୟ ହକିର ଯେଉଁ ପୁନରୁତ୍ଥାନ ଘଟିଛି। କେବଳ ସେତିକି ନୁହେଁ, ତାଙ୍କର ଆଗ୍ରହ ହେତୁ ଓଡ଼ିଶା ଜାତୀୟ କ୍ରୀଡ଼ାର ଏକ ନୂଆ ପେଣ୍ଠସ୍ଥଳୀ ପାଲଟିଛି।

ସଂପ୍ରତି ପଞ୍ଚମ ପାଳିରେ ଯେଉଁ ପାଞ୍ଚଟି କଥାକୁ ରାଜନୀତି ଓ ସରକାରରେ ବିଶେଷ ଗୁରୁତ୍ବ ଦିଆଯାଉଛି ତାହା ନବୀନଙ୍କୁ ଢେର୍ ସମୟ ଯାଏ ଲୋକଙ୍କ ପାଖରେ ରଖିପାରେ। ନବୀନଙ୍କର ବଡ଼ ପୁଞ୍ଜି ହେଉଛି ତାଙ୍କର ‘ଭାବମୂର୍ତି’। ଏଥିରେ ସାମାନ୍ୟ ଆଞ୍ଚ ଆଣିବା ଲାଗି ସେ ସୁଯୋଗ ଦେଇନାହାନ୍ତି। ତାଙ୍କ ପ୍ରତି ଲୋକଙ୍କର ଭଲପାଇବା ପଛର ରହସ୍ୟ ହେଉଛି ସାଧାରଣ ଜୀବନ ଶୈଳୀ, ଦୁର୍ନୀତି ବିରୋଧୀ ଆଭିମୁଖ୍ୟ। ମହାତ୍ମାଗାନ୍ଧୀଙ୍କ ଗ୍ରାମ ସ୍ବରାଜ ଓ ବିଜୁ ବାବୁଙ୍କ ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ମହିଳା ସଶକ୍ତିକରଣ ନବୀନଙ୍କ ଫୋକସରେ ଅଛି। ଗାଁର ଚେହେରା ଯଥେଷ୍ଟ ବଦଳିଛି। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା, ଓଡ଼ିଶା ରାଜନୀତି ଇତିହାସରେ ଏକ ରେକର୍ଡ। ସବୁ ବିରୋଧର ହାଵାକୁ ପ୍ରତିହତ କରି ସେ ନିଜର ପ୍ରତିଷ୍ଠା ଓ ପରକାଷ୍ଠା ତଥା ପତିଆରାକୁ ଅତୁଟ ରଖିଛନ୍ତି। ସମସ୍ୟା ବହୁଳ ଓଡ଼ିଶାକୁ ଦେଶର ସବୁଠାରୁ ବିକଶିତ ରାଜ୍ୟରେ ପରିଣତ କରିବା ରାସ୍ତାରେ ଟାଣିନେବା ଲାଗି ନବୀନଙ୍କ ପାଇଁ ଆହୁରି ଅନେକ ଆହ୍ବାନ ରହିଛି। ରାଜ୍ୟବାସୀଙ୍କ ପ୍ରତି ପ୍ରଶାସନର ନିଷ୍ଠା, ସଂକଳ୍ପ,ପ୍ରତିବଦ୍ଧତା, ସହନଶୀଳତା, ବିଚାରବୋଧ ଏବଂ ନବୀନଙ୍କ କ୍ୟାବିନେଟ୍ ସହଯୋଗୀଙ୍କର ଆଚରଣ ଏବଂ ଉଚ୍ଚାରଣ ଆକର୍ଷଣୀୟ ତଥା ନମନୀୟ ହେବା ଉଚିତ୍, ଠିକ୍ ତାଙ୍କ ପାଖାପାଖି। ତେବେ ଯାଇ ଓଡ଼ିଶା ଆଗକୁ ଯିବ, ଜାତୀୟସ୍ତରରେ ସାମାଜିକ ଆନ୍ଦୋଳନର ନେତୃତ୍ବ ନେବାର ସାମର୍ଥ୍ୟ ରଖିବ।