ନର୍ସ ହତ୍ୟା:ଧରାଦେଲା ପ୍ରେମିକ
ନର୍ସ ହତ୍ୟା:ଧରାଦେଲା ପ୍ରେମିକ
admin
Sep 20, 2019 - 09:12
Updated: Sep 20, 2019 - 09:12
ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତ ଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ରାଜାକୁ ଏକ ଅଜ୍ଞାତ ଅଞ୍ଚଳରେ ପଚରାଉଚୁରା କରାଯାଉଥିବା ଜଣାଯାଇଛି । ଗତ ୨ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନୀହାରିକାଙ୍କ ମୃତଦେହ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା ।
କଟକରେ ହତ୍ୟା ପରେ ଅଖାରେ ବାନ୍ଧି ନଈରେ ଭସାଇ ଦେବା ଏବଂ ମୃତଦେହ ଜଗତସିଂହପୁରରୁ ଉଦ୍ଧାର ହେବା ପଛରେ ଯିଏ ସବୁଠୁ ଅଧିକ ସନ୍ଦେହ ଘେରରେ ରହିଛନ୍ତି, ସେ ହେଉଛନ୍ତି ନୀରାରିକାଙ୍କ ପ୍ରେମିକ ରାଜା । ରାଜା ଓ ନିହାରିକା ପରସ୍ପରକୁ ଭଲ ପାଉଥିଲେ, ଏମିତି କି ପରିବାରଙ୍କ ସମ୍ମତିରେ ଅବାଧ ମିଳାମିଶା ବି ଥିଲା । ଆଉ ନିଖୋଜ ହେବା ଦିନ ନିହାରିକାକୁ ସାଥୀରେ ନେଇଯାଇଥିଲା ରାଜା । ହେଲେ ନିହାରିକାଙ୍କ ମୃତଦେହ ମିଳିଲା ବେଳକୁ ରାଜା ଗାଏବ୍ ହୋଇଯାଇଥିଲା ।
କଟକ ଓ ଜଗତସିଂହପୁର ଜିଲ୍ଲାରେ ଚହଳ ପକାଇ ଦେଇଥିବା ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଏବେ ସନ୍ଦଗ୍ଧ ପ୍ରେମିକ ରାଜାର ବାପା, ଭାଇ ଏବଂ ସଂପର୍କୀୟଙ୍କ ସମେତ ହାଜିପୁର ଅଞ୍ଚଳରୁ ୬ ଜଣଙ୍କୁ ପୁଲିସ ଅଟକ ରଖି ଜେରା ଆରମ୍ଭ କରିଥିଲା । ଷ୍ଟାଫ ନର୍ସଙ୍କ ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ପ୍ରେମିକ ରାଜାର ଭୂମିକା କ’ଣ ତାକୁ ନେଇ ଯେତିକି ବଡ଼ ପ୍ରଶ୍ନ ଛିଡ଼ା ହୋଇଛି, ତାଠୁ ଅଧିକ ସନ୍ଦେହ ବଢ଼ାଇ ଦେଇଥିଲା ରାଜାର ନିଖୋଜ୍ ହେବା ଘଟଣା ।
ଅନ୍ୟପକ୍ଷରେ ବିଜେପି ମହିଳା ମୋର୍ଚ୍ଚାର ଏକ ୧୦ଜଣିଆ ଟିମ୍ ଗତକାଲି ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ୍ କରିବା ସହ ସମଗ୍ର ଘଟଣାକ୍ରମକୁ ନିନ୍ଦା କରିଛନ୍ତି। ମୃତ ନିହାରିକାଙ୍କ ପରିବାରକୁ ଏହି ପ୍ରତିନିଧି ଦଳ ସାନ୍ତ୍ବନା ଦେବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ବୋଲି କହିଛି ବିଜେପି।