ନୂଆଡିହି ସମବାୟ ସମିତିରେ ଦୁର୍ନୀତ ପ୍ରସଙ୍ଗ ଉଠାଇ ସମବାୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦାମ

ନୂଆଡିହି ସମବାୟ ସମିତିରେ ଦୁର୍ନୀତ ପ୍ରସଙ୍ଗ ଉଠାଇ ସମବାୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦାମ

ନୂଆଡିହି ସମବାୟ ସମିତିରେ ଦୁର୍ନୀତ ପ୍ରସଙ୍ଗ ଉଠାଇ ସମବାୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦାମ

ଜଗତସିଂହପୁର : ଆଠଗଡ଼ ସମବାୟ କୃଷି ଋଣ ଦୁର୍ନୀତିକୁ ନେଇ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ନେତାଙ୍କ ସମାଲୋଚନା ଜାରି ରହିଛି। ଏପଟେ ଜଗତସିଂହପୁର ଜିଲ୍ଲା ଏରସମା ନୂଆଡ଼ିହି ସେବା ସମବାୟ ସମିତି ଦୁର୍ନୀତିକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଦାମ ଏହି ଘଟଣାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଏହି ଅଞ୍ଚଳ ଆସୁଛି । ଏହାର ସଭାପତି ମନ୍ତ୍ରୀଙ୍କ ଭାଇ ଥିଲେ । ଏଥିପାଇଁ କାର୍ୟ୍ୟାନୁଷ୍ଠାନ ପ୍ରକ୍ରିୟା ବିଳମ୍ବ ହେଉଛି ବୋଲି ଡାକ୍ତର ରାଉତ କହିଛନ୍ତି । ଦାମଙ୍କ କହିବା ମୁତାବକ, ଆଠଗଡ଼ ଭଳି ଏରସମା ବ୍ଲକ୍ ନୂଆଡ଼ିହି ସେବା ସମିତିରେ ବି କେଳେଙ୍କାରୀ ହୋଇଛି । ସମିତିର ପଦ ପଦବିରେ ଥିବା ଅଧିକାରୀମାନେ ୭୦୦ ଚାଷୀଙ୍କ ନାଁରେ ଋଣ ଉଠାଇ ନେଇ ୧ କୋଟି ୭୦ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଏହାକୁ ନେଇ ସେ ପୂର୍ବରୁ ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏଯାଏ କୌଣସି କାର୍ୟ୍ୟାନୁଷ୍ଠାନ ହେଉ ନାହିଁ । ଯଦି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସମବାୟ ବ୍ୟାଙ୍କର ସ୍ଥିତି ଆହୁରି ଖରାପ ହେବ ବୋଲି ଦାମ କହିଛନ୍ତି । ସୂଚନା ମୁତାବକ, ସମିତିର ସମ୍ପାଦକ ଓ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଚାଷୀଙ୍କ ଅଜାଣତରେ ସେମାନଙ୍କ ନାମରେ ଋଣ ଉଠାଇଛନ୍ତି । ସମିତିର କିଛି ବୋର୍ଡ ସଦସ୍ୟ ନିଜ ନାଁ ବଦଳାଇ ଏବଂ ଚଂଚକତା କରି ଲକ୍ଷ ଲକ୍ଷ ଟଙ୍କା ହାତେଇଛନ୍ତି । ଆଦୌ ଋଣ ନେଇନଥିବା ଚାଷୀମାନଙ୍କ ନିକଟକୁ ଏହାକୁ ଶୁଝିବା ପାଇଁ ଚିଠି ଆସୁଛି । ଯେହେତୁ ଚାଷୀଙ୍କ ନାଁରେ ଋଣ ଗଡ଼ୁଛି ହଜାରେରୁ ଉର୍ଦ୍ଧ୍ୱ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଂଚିତ ହୋଇଛନ୍ତି । ଏହି ସମିତିରେ ୧୭୦୦ ଜଣ ଚାଷୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫୬ ଜଣ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାକୁ ଯୋଗ୍ୟ ହୋଇଛନ୍ତି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଦୁଇ କୋଟିରୁ ଅଧିକ ଟଙ୍କା ଚଳୁ କରି ସମିତି ସମ୍ପାଦକ ତୀର୍ଥ ସମ୍ପଦ ଗୋଚ୍ଛାୟତ, ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ବୋର୍ଡ ସଦସ୍ୟମାନେ ବେଫିକର ବସିଛନ୍ତି ।  ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଦୁର୍ନୀତିର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ । ମାତ୍ର ଏ ଦିଗରେ ଏ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏହାକୁ ନେଇ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।