ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ୱାର
ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଦ୍ୱାର
admin
Oct 22, 2020 - 09:32
Updated: Oct 22, 2020 - 09:32
ପୁରୀ: ନୂଆବର୍ଷରେ ରୂପାରେ ଝଲସିବ ଶ୍ରୀମନ୍ଦିର ତିନି ଦ୍ୱାର । ଏହା ପୂର୍ବରୁ ରୂପା ଝାଉଣି ହେବାକୁ ଥିବା ତିନି ଦ୍ୱାର ସମ୍ପୂର୍ଣ୍ଣ ନୂଆ ଗଢ଼ାଯିବ । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ତିନି ଦ୍ୱାରା ପାଇଁ ମାଲେସିଆରୁ ଦାମୀ ଶାଗୁଆନ କାଠ (ବର୍ମା ଟିକ) ଅଣାଯାଉଛି । ବାହାର ରାଜ୍ୟର ୧୫ ଜଣିଆ କାରିଗର ଦଳ ଖୁବଶୀଘ୍ର ଶ୍ରୀକ୍ଷେତ୍ରରେ ପହଞ୍ଚୁଛନ୍ତି । ନୀଳାଦ୍ରି ଭକ୍ତ ନିବାସରେ ତିନି ଦ୍ୱାର କାମ ଶେଷ ପରେ ଏହାକୁ ସଂଯୋଗ କରାଯତିବ । ମରାମତି କାମର ତତ୍ତ୍ୱାବଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଶ୍ରୀମନ୍ଦିରର ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ରୂପା ଛାଉଁଣି କରାଯିବ । ଜନୈକ ଦାତା ଏ ବାବଦରୁ ପ୍ରାୟ ୨ ହଜାର କେଜି ରୂପା ଦାନ କରିବେ । ମାଲେସିଆରୁ ଆସୁଥିବା ବର୍ମା ଟିକରେ ଏହାକୁ ସ୍ୱତନ୍ତ୍ର ଶୈଳୀରେ ନିର୍ମାଣ କରାଯିବ । ଏ ସମ୍ପର୍କରେ ପରିଚାଳନା କମିଟିର ଜନୈକ ସଦସ୍ୟ କହିଛନ୍ତି, କାଠ ପହଞ୍ଚିବା ପରେ ଦ୍ୱାର ତିଆରି କାମ ନୀଳାଦ୍ରି ଭକ୍ତ ନିବାସରେ କରାଯିବ । ବାହାରୁ ଆସୁଥିବା ୧୫ ଜଣିଆ କାରିଗର ଦଳ ଏଠାରେ ରହି ଶୁଦ୍ଧପୁତ ଭାବରେ ତିନି ଦ୍ୱାର କାମ କରିବେ । କବାଟ ନିର୍ମାଣ କାମ ଶେଷ ପରେ ରୂପା ଛାଉଣି କରାଯିବ । କାର୍ତ୍ତିକ ମାସ ପୂର୍ବରୁ ଏହି କାମ ଆରମ୍ଭ ହେବ । ନୂଆ ବର୍ଷ ପୂର୍ବରୁ ତିନି ଦ୍ୱାର ଶ୍ରୀମନ୍ଦିରରେ ଲଗାଯିବ ବୋଲି ସେ କହିଛନ୍ତି ।