ପଞ୍ଜାବ ଲୋକ କଂଗ୍ରେସ-ବିଜେପି ମେଣ୍ଟ

ପଞ୍ଜାବ ଲୋକ କଂଗ୍ରେସ-ବିଜେପି ମେଣ୍ଟ

ପଞ୍ଜାବ ଲୋକ କଂଗ୍ରେସ-ବିଜେପି ମେଣ୍ଟ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବା ପାଇଁ ବିଜେପି ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିବ । ଏନେଇ କେନ୍ଦ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ନିର୍ବାଚନ ପ୍ରଭାରୀ ଗଜେନ୍ଦ୍ର ସିଂ ଶେଖାୱତ ସ୍ପଷ୍ଟ କରିଛନ୍ତି । ଗଜେନ୍ଦ୍ର କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ସହ ବିଜେପିର ୭ ରାଉଣ୍ଡ ଆଲୋଚନ ହୋଇଥିଲା । ୭ ରାଉଣ୍ଡର ଆଲୋଚନା ପରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଆସନ ବୁଝାମଣାକୁ ନେଇ ପରେ ନିଷ୍ପତ୍ତି ହେବ ବୋଲି ଗଜେନ୍ଦ୍ର କହିଛନ୍ତି ।ଗଜେନ୍ଦ୍ର ସିଂ ଶେଖାୱତ ଏହି ଘୋଷଣା ପୂର୍ବରୁ ଆଜି ତାଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ସାକ୍ଷାତ କରିଥିଲେ। ଏହାସହ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଆଲୋଚନା ହୋଇଥିଲା । ସେପଟେ ଏହି ଘୋଷଣା ପରେ ପଞ୍ଜାବ ଲୋକ କଂଗ୍ରେସ ମୁଖ୍ୟ ତଥା ପୂ୍ର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଆମେ ଏକାଠି ନିର୍ବାଚନ ଲଢିବୁ । ଆଉ ମେଣ୍ଟର ବିଜୟ ପାଇଁ ଲଢିବୁ । ଉଭୟ ଦଳ ମଧ୍ୟରେ ବିଜୟ ସମ୍ଭାବନା ଥିବା ଆସନ ଅନୁସାରେ ଆସନ ଭାଗବଣ୍ଟା ହେବ । ଆଉ ଏକ ଶହ ଏକ ପ୍ରତିଶତ ଆମ ମେଣ୍ଟ ଆଗାମୀ ନିର୍ବାଚନରେ ବିଜୟୀ ହେବ ବୋଲି କହିଛନ୍ତି କ୍ୟାପଟେନ ସିଂ ।୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ପ୍ରାରମ୍ଭରେ ହେବ। କଂଗ୍ରେସ, ଆପ ଦଳ ଏକାକି ନିର୍ବାଚନ ଲଢିବାକୁ ଥିବାବେଳେ, ନିର୍ବାଚନରେ ପୁରୁଣା ସହଯୋଗୀ ଅକାଳୀ ଦଳ ସ୍ଥାନରେ ପଞ୍ଜାବ ଲୋକ କଂଗ୍ରେସ ସହ ନିର୍ବାଚନ ଲଢିବ । ଅକାଳି ଦଳ ବିଏସପି ସହ ମେଣ୍ଟ କରିଛି। ସୂଚନା ଯୋଗ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗତ ନଭେମ୍ବର ୨ ତାରିଖରେ କ୍ୟାପଟେନ କଂଗ୍ରେସରୁ ଇସ୍ତଫା ଦେଇ ନୂଆ ଦଳ ଗଠନ ନେଇ ଘୋଷଣା କରିଥିଲେ ।