ପଦବି ଗୃହରକ୍ଷୀ, ପାୱାର ଥାନା ଅଧିକାରୀ!
ପଦବି ଗୃହରକ୍ଷୀ, ପାୱାର ଥାନା ଅଧିକାରୀ!
ରାଉରକେଲା: ସେ ଗୃହରକ୍ଷୀ ନା ଥାନା ଅଧିକାରୀ! ଜଣେ ହଠାତ୍ ଥାନାକୁ ଗଲେ ଭ୍ରମରେ ପଡ଼ିବେ। ପଦବି ସିନା ଗୃହରକ୍ଷୀର ହେଲେ ପାୱାର ଥାନା ଅଧିକାରୀଙ୍କ ଭଳି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ। ଏଠାକାର ଥାନା ଅଧିକାରୀ ପାଲଟିଛନ୍ତି ଜଣେ ଗୃହରକ୍ଷୀ! ସମ୍ପୃକ୍ତ ଗୃହରକ୍ଷୀ ଏମିତି ଢଙ୍ଗରେ କାର୍ୟ୍ୟ କରୁଛନ୍ତି ତାହା ଦେଖିଲେ ସେଇଆ ହିଁ ଜଣାପଡ଼ୁଛି। ସୂଚନା ଅନୁସାରେ, ଥାନା ଅଧିକାରୀଙ୍କ ପରି ପ୍ରତ୍ୟେକ ମାମଲାରେ ଗୃହରକ୍ଷୀ ମୁଣ୍ଡ ପୂରାଉଛନ୍ତି । ଅନେକ ଘଟଣାରେ ମଧ୍ୟସ୍ଥି ମଧ୍ୟ ସାଜୁଛନ୍ତି । ଏସପିଙ୍କ ଦାଗିଦ ସତ୍ତ୍ୱେ ଥାନା ଭିତରେ ନିୟମିତ ରହୁଛନ୍ତି । ଥାନାର ସବଇନ୍ସପେକ୍ଟର ଓ ଡିସିଓଙ୍କ ଟେବୁଲ ଆଗ ଚେୟାରରେ ସାଦା ପୋଷାକରେ ଥାନା ଅଧିକାରୀଙ୍କ ଭଳି ଗୋଡ଼ ଉପରେ ଗୋଡ଼ ପକାଇ ବିଭିନ୍ନ ମାମଲା ଫଇସଲା ମଧ୍ୟ କରୁଛନ୍ତି । ଥାନାରେ ଥାନା ଅଧିକାରୀ ପଦବି ଖାଲି ପଡ଼ିଥିବାରୁ ନିଜକୁ ଜଣେ ଇନସପେକ୍ଟର ପରିଚୟ ଦେବାକୁ ସେ ପଛାଉନାହାନ୍ତି । ଏତିକିରେ କଥା ସରିନି, ରାତିରେ ସେ ବୀରମିତ୍ରପୁର ପୁଲିସ ପାଟ୍ରୋଲିଂ ଗାଡ଼ିରେ ଡୁ୍ୟଟି ମଧ୍ୟ କରୁଛନ୍ତି । ଚାନ୍ଦା ଅସୁଲ କରି ସେ ବେଆଇନ ଗୋରୁଚାଲାଣ, ବାଲି ଓ ପଥର ଚାଲାଣ ସମେତ ଚୋରାମଦ କାରବାରକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି । ମାସ ମାସ ଧରି ହାତୀବାରି ଥାନାକୁ ନ ଯାଇ ବୀରମିତ୍ରପୁର ଥାନାରେ ଏଭଳି କାମ କରୁଥିଲେ ହେଁ କେହି ତାଙ୍କୁ ବାରଣ କରୁନାହାନ୍ତି । ଏ ସମ୍ପର୍କରେ ହାତୀବାରି ଥାନାର ଏସଆଇ ଏଚ.କେ. ବେହେରା କହିଛନ୍ତି, ବଦଳି ହୋଇ ଆସିଥିବା ଗୃହରକ୍ଷୀ ଜଣକ କିଛିଦିନ ଡୁ୍ୟଟି କରିବାପରେ ଆସୁନାହାନ୍ତି । ଥାନା ପକ୍ଷରୁ ଗୃହରକ୍ଷୀଙ୍କ ଏଭଳି କାର୍ୟ୍ୟକଳାପ ସଂକ୍ରାନ୍ତରେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବୀରମିତ୍ରପୁର ଏସଡିପିଓ ମାନସ ରଞ୍ଜନ ପ୍ରଧାନ କହିଛନ୍ତି, ‘ଏମିତି ହେବା କଥା ନୁହେଁ । ଆଜି ଠାରୁ ଯେମିତି ଗୃହରକ୍ଷୀ ଜଣକ ଥାନା ଭିତରକୁ ନ ପଶନ୍ତି ସେ ବ୍ୟବସ୍ଥା କରାଯାଉଛି ।’




admin 