ପୁରୀ ଐତିହ୍ୟ କରିଡର ଆଲୋଚନା, କରିଡର ପାଇଁ ବଦଳିବ ନାହିଁ ଶ୍ରୀମନ୍ଦିର ନୀତି, ପରମ୍ପରା: ଶ୍ରୀମନ୍ଦିର ପ୍ରଶାସକ

ପୁରୀ ଐତିହ୍ୟ କରିଡର ଆଲୋଚନା, କରିଡର ପାଇଁ ବଦଳିବ ନାହିଁ ଶ୍ରୀମନ୍ଦିର ନୀତି, ପରମ୍ପରା: ଶ୍ରୀମନ୍ଦିର ପ୍ରଶାସକ

ପୁରୀ ଐତିହ୍ୟ କରିଡର ଆଲୋଚନା, କରିଡର ପାଇଁ ବଦଳିବ ନାହିଁ ଶ୍ରୀମନ୍ଦିର ନୀତି, ପରମ୍ପରା: ଶ୍ରୀମନ୍ଦିର ପ୍ରଶାସକ
ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର ଓଡ଼ିଶା ସେତୁ ଓ ନିର୍ମାଣ ନିଗମର କନଫରେନ୍ସ ହଲରେ ଆୟୋଜିତ ଏକ ଆଲୋଚନା ବୈଠକରେ ଐତିହ୍ୟ କରିଡର ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭୂମିପୁତ୍ର କମ୍ପାନୀ ଉପସ୍ଥିତ ସରକାରୀ ଅଧିକାରୀ ତଥା ସମସ୍ତ ଅଂଶୀଦାରଙ୍କୁ ଏହି ଯୋଜନା ବିଷୟରେ ବିସ୍ତାରରେ ବୁଝାଇଥିଲେ । ଏହି ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ନିଯୋଗ ସମିତି, ବିଜ୍ଞାପିତ ସାହି ପରିବାର ତଥା ସେବାୟତଙ୍କ ପ୍ରତିନିଧି ଯୋଗ ଦେଇଥିଲେ । ଐତିହ୍ୟ କରିଡର ନିର୍ମାଣ ହେଲେ ବହୁ ଦିନ ଧରି ଚାଲିଆସୁଥିବା ଅନେକ ପରମ୍ପରା ଭଙ୍ଗ ହୋଇପାରେ ବୋଲି ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧି ଗଣ ଆଶଙ୍କା ପ୍ରକାଶ କରିଥିଲେ । ତେବେ ଏଭଳି କୌଣସି ପରମ୍ପରା ଭଙ୍ଗ ହେବ ନାହିଁ ବୋଲି ମନ୍ଦିର ମୁଖ୍ୟ ପ୍ରଶାସକ ଡଃ.କ୍ରିଶନ କୁମାର କହିଥିଲେ । ମନ୍ଦିର ନୀତିକାନ୍ତି: ପ୍ରସ୍ତାବିତ ଐତିହ୍ୟ କରିଡର ନିର୍ମାଣ ହେଲେ ଶ୍ରୀମନ୍ଦିର ସାମ୍ନାରେ ଅନେକ କଳାକୃତି ଓ ବୃକ୍ଷଲତା ସ୍ଥାନ ପାଇବ । ଏପରି ହେଲେ ସାହି ପରମ୍ପରା ଅନୁସାରେ ଅରୁଣ ସ୍ତମ୍ଭ ଆଗରେ ମୃତ୍ୟୁ ପରେ ଶେଷ ଦର୍ଶନ କରିବା ତଥା ଦେବତା ଓ ଚଳନ୍ତି ପ୍ରତିମାମାନଙ୍କ ପହଣ୍ଡି ହେବାରେ ଅସୁବିଧା ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ସେହିଭଳି ରଥ ଖଳା ରଥ ନିର୍ମାଣ, ନୀଳାଦ୍ରି ବିଜେ ଇତ୍ୟାଦି ନିମନ୍ତେ ଆବଶ୍ୟକ ପରିମାଣରେ ସ୍ଥାନ ରହିବ କି ନା ସେ ବିଷୟରେ ମଧ୍ୟ ମନ୍ଦିର ନୀତିକାନ୍ତିରେ ସାମିଲ ଅନେକ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଥିଲେ । ଏହି ଆଲୋଚନାରେ ଭାଗ ନେଇ ପୂର୍ତ୍ତ ସଚିବ କହିଥିଲେ କି ସମ୍ପ୍ରତି ପୁରୀ ଐତିହ୍ୟ କରିଡର ଯୋଜନାର କେବଳ ଚିଠା ପ୍ରସ୍ତାବକୁ ସାର୍ବଜନୀନ କରାଯାଇଛି ଓ ଏହା ଚୂଡାନ୍ତ ଯୋଜନା ନୁହେଁ । ଏଣୁ ଅଂଶୀଦାରମାନେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ସେ ସମସ୍ତ ପ୍ରସଙ୍ଗକୁ ଆଖି ଆଗରେ ରଖି କିପରି ଯୋଜନାକୁ ସଂଶୋଧିତ ବା ପରିବର୍ଦ୍ଧିତ କରାଯାଇପାରିବ ସେ ବିଷୟରେ ଖୁବ୍ ଶୀଘ୍ର ଏକ କ୍ଷୁଦ୍ର କମିଟି ନିଷ୍ପତ୍ତି ନେବ । ଯଜ୍ଞ, ମହାପ୍ରସାଦ, ଉତ୍କଳୀୟ ପରମ୍ପରା:ଏହି ଆଲୋଚନାରେ ମହାରାଜ ଦିବ୍ୟସିଂହ ଦେବ ବଡ଼ଦାଣ୍ଡରେ ଶ୍ରୀମନ୍ଦିର କରିଡର ଅଞ୍ଚଳରେ ଏକ ଯଜ୍ଞଶାଳା ନିର୍ମାଣ କରିବାର ପ୍ରସ୍ତାବ ରଖିଥିଲେ । ସେହିପରି ଏହି କରିଡରରେ ସ୍ଥାନିତ ହେଉଥିବା ସମସ୍ତ କଳାକୃତିର ଉତ୍କଳୀୟ ସ୍ଥାପତ୍ୟ ପରମ୍ପରା ଝଲକ ରହିବା ଆବଶ୍ୟକ ବୋଲି ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ସ୍ଥପତି ରଘୁନାଥ ମହାପାତ୍ର ମତବ୍ୟକ୍ତ କରିଥିଲେ । ଏହି ସବୁ ମତାମତକୁ ଯୋଜନାରେ ସାମିଲ କରାଯିବ ବୋଲି ଶ୍ରୀ କୁମାର କହିଥିଲେ । ପୁରୀ କରିଡରରେ ଦୈନିକ ପ୍ରାୟ ପାଞ୍ଚ ହଜାର ଲୋକ ବସି ମହାପ୍ରସାଦ ଭୋଜନ କରିପାରିବା ଭଳି ଏକ ବ୍ୟବସ୍ଥା ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ଓ ଏହାକୁ ଚୂଡାନ୍ତ ଯୋଜନାରେ ସାମିଲ କରାଯିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡଃ.କୁମାର କହିଥିଲେ ।