ପୋଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ପୋଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ପୋଲିସକୁ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ବରଗଡ: ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକରେ ଗୁରୁବାର ଏକ ଅଭାବନୀୟ କାଣ୍ଡ ଘଟିଛି । ଗାଁ’ ଲୋକେ ପୋଲିସ୍ ଅଧିକାରୀ ଏବଂ କର୍ମଚାରୀଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପିଟିଛନ୍ତି । ଏପରିକି ରାସ୍ତା ଉପରେ ପଡି ରହିଥିବା ପୋଲିସ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ଏହି ଲୋମଟାଙ୍କୁରା ଦୃଶ୍ୟ ଚହଳ ପକାଇ ଦେଇଛି । ପୋଲିସକୁ ଖୋଲାଖୋଲି ଆକ୍ରମଣ ଘଟଣା ଏବେ ଚର୍ଚ୍ଚାରେ ରହିଛି । ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତୁ୍ୟ ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ଏହି ତୁମୁଳ କାଣ୍ଡ ଘଟାଇଛନ୍ତି । 

ସୂଚନା ଅନୁସାରେ, ନୂଆପାଲି ଗ୍ରାମର ନୀରେନ୍ଦ୍ରୀ ନାୟକ ସାଇକେଲରେ ନିକଟସ୍ଥ ବଲାଙ୍ଗୀର ଜିଲ୍ଲା ସୀମାରେ ଥିବା ଭରସୁଜାସ୍ଥିତ ଜଳନ୍ଧର ମହାବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ସେଠାରୁ ଘରକୁ ଫେରିବାବେଳେ ଗିରିଧାରୀ ମହାବିଦ୍ୟାଳୟ ସମ୍ମୁଖରେ ତାଙ୍କୁ ଗୋଟିଏ ଡିଜେଲ ଟ୍ୟାଙ୍କର୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ନୀରେନ୍ଦ୍ରୀଙ୍କ ମୃତୁ୍ୟ ହୋଇଥିଲା । ଗ୍ରାମବାସୀ ସେଠାରେ ପହଞ୍ଚିବା ପରେ ସ୍ଥିତି ଅଶାନ୍ତ ହୋଇଥିଲା । ଲୋକେ ଟ୍ୟାଙ୍କର ଚାଳକଙ୍କୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲେ । ଏହି ସମୟରେ ୪ଜଣ ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ ଚାଳକଙ୍କୁ ଥାନାକୁ ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ଚାଳକଙ୍କୁ ଖସାଇ ଦେବାକୁ ପୋଲିସ୍ ଯୋଜନା କରୁଥିବା ଅଭିଯୋଗ କରି ଗ୍ରାମବାସୀ ତାତି ଉଠିଥିଲେ । ଯିଏ ଯାହା ପାଇଲା ସେଥିରେ ପୋଲିସ୍ କର୍ମଚାରୀଙ୍କୁ ପିଟି ଚାଲିଲା । ଆହତ ପୋଲିସ୍ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ୍ ଭ୍ୟାନରେ ପୁଣି ୪-୫ଜଣ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁବି ମଝି ରାସ୍ତାରେ ଗ୍ରାମବାସୀ ଆକ୍ରମଣ କରିଥିଲେ । ପରେ ୨ଜଣ ପୋଲିସ୍ କର୍ମଚାରୀଙ୍କୁ ଆହତ ଅବସ୍ଥାରେ ଅଟକ ରଖିଥିଲେ ।