ପୌର ନିର୍ବାଚନ; ମୈଦାନରେ ୭୦୫୨ ପ୍ରାର୍ଥୀ

ପୌର ନିର୍ବାଚନ; ମୈଦାନରେ ୭୦୫୨ ପ୍ରାର୍ଥୀ

ପୌର ନିର୍ବାଚନ; ମୈଦାନରେ ୭୦୫୨ ପ୍ରାର୍ଥୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ପ୍ରକ୍ରିୟା ଶେଷ ହୋଇଛି। ଯାଞ୍ଚ ପରେ ମୋଟ୍ ୭୦୫୨ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି। ତେବେ ୧୦୦ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ଗତ ୨ରୁ ୭ତାରିଖ ମଧ୍ୟରେ ୧୦୬ଟି ମ୍ୟୁନିସପାଲଟି ଓ ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୯୯ଟି ୱାର୍ଡରେ କର୍ପୋରେଟର/କାଉନସିଲର, ମେୟତ୍ତ୍ୱର/ଅଧ୍ୟକ୍ଷ ପାଇଁ ୭୧୫୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ।

ରାଜ୍ୟ ନିର୍ବାଚନ କମିଶନର କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ପୌର ନିର୍ବାଚନରେ ମୋଟ ୧୦୬ଟି ପୌର ପରିଷଦ,ଏନଏଏସିର ଅଧ୍ୟକ୍ଷ ପଦ ଓ ୩ଟି ମହାନଗରର ମେୟର ପଦ ନିମନ୍ତେ ମୋଟ ୬୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କିନ୍ତୁ ଆଜି ଯାଂଚରେ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି । ସେହିପରି ୩ଟି ମହାନଗର ନିଗମର ୧୬୮ଟି ୱାର୍ଡ ସମେତ ୧୦୬ ପୌର ଓ ଏନଏସିର ମୋଟ ୧୮୯୯ଟି ୱାର୍ଡରେ ୬୪୫୯ଜଣ କର୍ପୋରେଟର/କାଉନସିଲର ପଦ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭୮ଜଣଙ୍କ ନାମାଙ୍କନପତ୍ର ରଦ୍ଦ ହୋଇଛି ।

ଉଲ୍ଲେଖଯୋଗ୍ୟ, ପୌର ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଯାଂଚ ଶେଷ ହୋଇଥିବାବେଳେ ଆସନ୍ତା ୧୪ତାରିଖ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଉକ୍ତ ଦିନ ଅପରାହ୍ନ ୫ଟା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧୮୯୯ଟି ୱାର୍ଡରେ ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ମୋଟ ୪୪୭୫ଟି ବୁଥରେ ପ୍ରାୟ ୪୧ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।