ପ୍ରଚାରକୁ ଆସିଥିବା ବିଧାୟକଙ୍କୁ ଘେରିଲେ ଲୋକେ, ବାତ୍ୟା, କରୋନା ବେଳେ କୁଆଡ଼େ ଥିଲ ବୋଲି ପଚାରିଲେ

ପ୍ରଚାରକୁ ଆସିଥିବା ବିଧାୟକଙ୍କୁ ଘେରିଲେ ଲୋକେ, ବାତ୍ୟା, କରୋନା ବେଳେ କୁଆଡ଼େ ଥିଲ ବୋଲି ପଚାରିଲେ

ପ୍ରଚାରକୁ ଆସିଥିବା ବିଧାୟକଙ୍କୁ ଘେରିଲେ ଲୋକେ, ବାତ୍ୟା, କରୋନା ବେଳେ କୁଆଡ଼େ ଥିଲ ବୋଲି ପଚାରିଲେ

 ବାସୁଦେବପୁର : ଏବେ ଚାଲିଛି ପଞ୍ଚାୟତ ନିର୍ବାଚନ ପ୍ରଚାର। ଶାସକ ଦଳର ନେତା ଓ ମନ୍ତ୍ରୀ ଘନଘନ ପଞ୍ଚାୟତ ଗସ୍ତ କରୁଛନ୍ତି। ମୌକା ପାଇ ଲୋକେ ବି ନେତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅକଳରେ ପଡ଼ିଥିବା ବିଧାୟକ ଓ ନେତା ଲୋକଙ୍କ ପ୍ରଶ୍ନବାଣର ଶିକାର ହେଉଛନ୍ତି। ଏମିତି ଏକ ଅପ୍ରୀତକର ଅବସ୍ଥାର ସମ୍ମୁଖୀନ ହୋଇଥିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଦେଇପୁର ପଞ୍ଚାୟତକୁ ପ୍ରଚାର କରିବାକୁ ଯିବା ସମୟରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ଲୋକେ ଅଟକ ରଖିବା ସହ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ।

ଶୁକ୍ରବାର ଅପରହ୍‌ଣରେ ବିଧାୟକ ଶ୍ରୀ ରାଉତରାୟ, ତାଙ୍କ ପ୍ରତିନିଧି ଅସିତ କୁମାର ଦାଶ ଓ ସମର୍ଥକମାନେ ବିଦେଇପୁର ପଞ୍ଚାୟତର ୧୬ ନମ୍ବର ୱାର୍ଡ ନାୟକ ସାହିରେ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଘେରିଯାଇ ‘ବାତ୍ୟା ୟାସ୍’ ଓ କରୋନାବେଳେ କୁଆଡ଼େ ଥିଲ ବୋଲି ପଚାରିଥିଲେ। ବାତ୍ୟାରେ ବେଘର ହୋଇଥିବା ଲୋକମାନେ ଆଜି ପର୍ୟ୍ୟନ୍ତ ଆବାସ ଘର ପାଇନାହାନ୍ତି ବୋଲି ଅଭିଯୋଗ କରି ଗାଁ ଲୋକେ ବିଧାୟକଙ୍କୁ ପ୍ରଶ୍ନବାଣରେ ପୋତି ପକାଇବା ସହ ଅଟକ ରଖିଥିଲେ।

 ପୁଲିସ, ନାୟକାଣିଡ଼ିହି ଓ ବାସୁଦେବପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ବିଧାୟକଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟକ ଶ୍ରୀ ରାଉତରାୟ ଜଣେ ସମର୍ଥକଙ୍କ ଘରେ ଆଶ୍ରୟ ନେଇଥିଲେ। ତେବେ ଏତିକିରେ ଗ୍ରାମବାସୀଙ୍କ ରୋଷ ଶାନ୍ତ ହୋଇନଥିଲା। ବିଧାୟକ ତୁରନ୍ତ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ଗ୍ରାମବାସୀ ଘଟଣାସ୍ଥଳରେ ରାସ୍ତା ମଧ୍ୟ ଅବରୋଧ କରିଥିଲେ। ଏହି ଘଟଣାକୁ ନେଇ ସନ୍ଧ୍ୟାରେ ବିଧାୟକ ଓ ଗ୍ରାମବାସୀ ପରସ୍ପର ବିରୋଧରେ ବାସୁଦେବପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।