ଫୁଲୁଛି ସୁବର୍ଣ୍ଣରେଖା, ଭୟଭୀତ ଲୋକେ
ଫୁଲୁଛି ସୁବର୍ଣ୍ଣରେଖା, ଭୟଭୀତ ଲୋକେ
ଭୁବନେଶ୍ୱର: ବନ୍ୟା ଜଳରେ ଫୁଲୁଛି ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ରାଜଘାଟରେ ଜଳସ୍ତର ୧୧.୯୦ ମିଟର ରହିଛି । ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ ।
ସୁବର୍ଣ୍ଣରେଖା ଗତକାଲିଠାରୁ ବିପଦ ସଙ୍କେତ ୧୦.୩୬ ମିଟର ଟପି ସାରିଛି । ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍ରୁ ୧୬ ଗେଟ୍ ଖୋଲିବା ପରେ ମୟୂରଭଞ୍ଜ ଓ ବାଲେଶ୍ୱରକୁ ମାଡ଼ି ଆସୁଛି ବଡ଼ ବିପତ୍ତି । ରାଜଘାଟରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ତାହା ଆହୁରି ବଢ଼ିବ । ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍ ଜଳ ପ୍ରବାହରୁ ଦୁଇ ଜିଲ୍ଲାର ୬ଟି ବ୍ଲକ୍ର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି ।
ଏହି ବନ୍ୟା ଯୋଗୁ ମୟୂରଭଞ୍ଜର ଦୁଇଟି ବ୍ଲକ୍ ସାରସକଣା ଓ ରାସଗୋବିନ୍ଦପୁର ଏବଂ ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକ୍ ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିବାର ଆଶଙ୍କା ଦେଖାଦେଇଛି । ଭୋଗରାଇ ଓ ବାଲିଆପାଳର କିଛି ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରିସାରିଛି । ବାଲେଶ୍ୱର ଜିଲ୍ଲା ଗଡ଼ାପୋଲ ନିକଟ ରାସ୍ତାରେ ୩ ଫୁଟ୍ର ପାଣି ପ୍ରବାହିତ ହେଉଛି। ଫଳରେ ବାଲିଆପାଳ-କମର୍ଦ୍ଦା ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବାଲିଆପାଳ ବ୍ଲକର ୨୫ ଗାଁ ପାଣି ଘେରରେ ଥିବା ବେଳେ ତାହା ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।
ବୈତରଣୀରେ ଜଳସ୍ତର ବିପଦ ସଂକେତ ଉପରେ ଥିଲେ ବି ତାହା ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ମୁଣ୍ଡଳୀରେ ବି ମହାନଦୀର ଜଳସ୍ତର ଖସୁଛି । ତେବେ ପୁଣି ୨୩ ତାରିଖରୁ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସବିଶେଷ ଆକଳନ ମିଳିବା ପରେ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।
ଏସ୍ଆରସିଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପର୍ୟ୍ୟନ୍ତ ସୁବର୍ଣ୍ଣରେଖାର ବନ୍ୟା ସ୍ଥିତି ଗମ୍ଭୀର ରହିବାର ଆଶଙ୍କା ଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି । ଦୁଇ ଜିଲ୍ଲାକୁ ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସହ ମୋଟ୍ ୪୦ଟି ଅପରେସନାଲ ଟିମ୍ ଯାଇଛନ୍ତି।




admin 