ବଜ୍ରପାତରେ ଗୋଟିଏ ପରିବାରର ୩ ମୃତ, ୫ ଗୁରୁତର
ବଜ୍ରପାତରେ ଗୋଟିଏ ପରିବାରର ୩ ମୃତ, ୫ ଗୁରୁତର
ବିଷମକଟକ / ଆନନ୍ଦପୁର: ରାୟଗଡ଼ା ଜିଲ୍ଲା ବିଷମକଠକ ବ୍ଲକ ଅନ୍ତର୍ଗତ ଚାଞ୍ଚଡାଗୁଡ଼ା ପଞ୍ଚାୟତର କାଳିପୋଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି । ବଜ୍ରପାତରେ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେହିଭଳି, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନାରଙ୍ଗପୁର ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଏହିଭଳି ଭାବେ ଦୁଇଟି ଘଟଣାରେ ୩ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବିଷମକଟକ କାଳିପୋଙ୍ଗା ଗାଁର ବୁର୍ଷା ମିଣିଆକା (୬୫), ପତ୍ନୀ ରାମୀ ମିଣିଆକା (୬୦), ପୁଅ କାଶୀରାମ ମିଣିଆକା (୪୦) ଏବଂ ବୋହୂ ମାଳା ମଣିଆକା (୩୦ ) ସକାଳେ ପୋଡୁଚାଷ ପାଇଁଜମି ସଫା କରିବାକୁ ନିକଟସ୍ଥ କେରାଣ୍ଡିଗୁଡା ଜଙ୍ଗଲକୁ ଯାଇଥିଲେ । ଲଟାବୁଦା ସଫା କରିବା ସମୟରେ ଅପରାହ୍ନ ପ୍ରାୟ ୩ଟାରେ ହଠାତ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଯାଇଥିଲା । ତେଣୁ ସମସ୍ତେ ଜଙ୍ଗଲରେ ଥିବା ଗୋଟିଏ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ଆଶ୍ରୟ ନେଇଥିବା ତେନ୍ତୁଳି ଗଛ ନିକଟରେ ହିଁ ବଜ୍ରପାତ ହୋଇଥିଲା । ତେଣୁ ଘଟଣା ସ୍ଥଳରେ ଚେତା ହରାଇ ସମସ୍ତ ୪ ଜଣ ଯାକ ପଡି ଯାଇଥିଲେ । ଏହି ଖବର ପାଇ ଗ୍ରାମବାସୀ ଜଙ୍ଗଲରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ବୁର୍ଷା ଏବଂ ରାମୀଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର କାଶୀରାମ ଏବଂ ମାଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ ପରବର୍ତ୍ତୀ ସମୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
ସେହିଭଳି, ଘସିପୁରାରେ ନାରଙ୍ଗପୁର ଗ୍ରାମ ମୃତକ ଜଣକ ହେଲେ ସେହି ଗ୍ରାମର କାହ୍ନୁ ସାହୁ (୫୮) । ପୂର୍ବାହ୍ନ ସାଢେ଼ ୧୧ଟା ବେଳେ କାହ୍ନୁଚରଣ ଅନ୍ୟମାନଙ୍କ ସହିତ ବିଲକୁ ଧାନତଳି ପକାଇବାକୁ ଯାଇଥିଲେ । ହଠାତ ବର୍ଷା ଆସିବାରୁ ସମସ୍ତେ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହେବାରୁ କାହ୍ନୁଚରଣ ସେଠାରେ ଟଳି ପଡ଼ିଥିଲେ ।




admin 