ବଡ ସଫଳତା ,ନକଲି ଔଷଧ କାରବାରରେ ଗୟାରୁ ଦୁଇ ଅଭିଯୁକ୍ତ ଚିହ୍ନଟ
ବଡ ସଫଳତା ,ନକଲି ଔଷଧ କାରବାରରେ ଗୟାରୁ ଦୁଇ ଅଭିଯୁକ୍ତ ଚିହ୍ନଟ
କଟକ : ଓଡ଼ିଶାରେ ନକଲି ଔଷଧ କାରବାର ଘଟଣାରେ ପୁଲିସ ଓ ଡ୍ରଗ୍ସ କେଣ୍ଟ୍ରାଲର ବିଭାଗକୁ ବଡ ସଫଳତା ମିଳିଛି। ବିହାରର ଗୟାରେ ଚଢ଼ଉ କରି ନକଲି ଔଷଧ କାରବାରରେ କାର୍ପଟଦାର କୁହାଯାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରି କାବୁ କରିବାରେ ସଫଳ ହୋଇଛି। ସେମାନଙ୍କୁ ଖବ୍ଶୀଘ୍ର ଓଡ଼ିଶା ଅଣାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ରକ୍ତଚାପ ଔଷଧ ଖାଇଲେ ବି କିଛି ଫଳପ୍ରଦ ହେଉ ନଥିଲା। କେତେକ ରୋଗୀ ଓ ସମ୍ପର୍କୀୟଙ୍କ ଅଭିଯୋଗ କ୍ରମେ ଡ୍ରଗ୍ସ ବିଭାଗ ବିଭିନ୍ନ ଔଷଧ ଦୋକାନରେ ଚଢଉ କରି ଔଷଧ ଯାଞ୍ଚ କରିବା ସହ ଏହାର ନମୁନା ପରୀକ୍ଷା ପାଇଁ ପଠାଇଥିଲା। ରକ୍ତଚାପ ଲାଗି ଅଧିକ ବ୍ୟବହୃତ ଟେଲମା-୪୦ ଓ ଟେଲମା-ଏମ୍ ନକଲି ରହିଥିବା ଜଣାପଡିଥିଲା। ଜବତ ଔଷଧ ପ୍ରସ୍ତୁତ କରୁନଥିବା ଗ୍ଲେନ୍ମାର୍କ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହି କମ୍ପାନୀ ନାମରେ ନକଲି ଔଷଧ ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିବା ଡ୍ରଗ୍ସ ବିଭାଗ ଜାଣିବା ପରେ ମାଣିକଘୋଷ ବଜାରରେ ଥିବା ଭି.ଆର ଏଣ୍ଟରପ୍ରାଇଜର୍ସ ଯାଉଁଳିଆପଟିରେ ଥିବା ପୂଜା ଏଣ୍ଟରପ୍ରାଇଜର୍ସରେ ଚଢଉ କରି ପ୍ରାୟ ୩୦ ଲକ୍ଷ ଟଙ୍କାର ନକଲି ଟେଲମା ଔଷଧ ଜବତ କରିଥିଲା। ଏ ନେଇ ଡ୍ରଗ୍ସ ବିଭାଗ ପକ୍ଷରୁ ପୁରୀଘାଟ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ଏହାର ତଦନ୍ତ କରି ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ ଜଲାଲ ଓ ଭି.ଆର ଡ୍ରଗ୍ସ ଏଜେନ୍ସିର ରାହୁଲ କ୍ୟାଲଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଦ୍ୱୟ ଜେରା ବେଳେ ବିହାର ଗୟା ଅଞ୍ଚଳରେ ଥିବା ଶ୍ରୀ ବାଲାଜୀ ଫାର୍ମ ଏବଂ କର୍ଣ୍ଣାଟକ ବେଙ୍ଗାଲୁରୁର ଶ୍ରୀ ବାଲାଜୀ ଏଜେନ୍ସିରୁ ଉକ୍ତ ଔଷଧ ଆଣୁଥିଲେ ବୋଲି କହିଥିଲେ। ଏହା ପରେ ନୟାସଡକ ଓ ମହତାବରୋଡ ଅଞ୍ଚଳରୁ ଆଉ ୨୫ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରାଯାଇଥିଲା। ପୁଲିସ ଓ ଡ୍ରଗସ ବିଭାଗ ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତ୍ବର ସହ ନେଇଥିଲା। ମିଳିତ ଟିମ୍ କିଛି ଦିନ ହେବ ଗୟା ଅଞ୍ଚଳର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସେଠାରେ ସେଭଳି କୌଣସି ଔଷଧ ବିକ୍ରେତା ଏଜେନ୍ସି ନଥିବା ଜଣାପଡ଼ିଥିଲା। କେତେକ ଔଷଧ ମାଫିଆ ବିନା ପଞ୍ଜୀକରଣରେ ଏପରି ନକଲି ଔଷଧ ପ୍ରସ୍ତୁତ କରୁଥିବା ଜଣାପଡିଛି। ପୁଲିସ ଅଭିଯୁକ୍ତଙ୍କୁ ଧରି କଟକ ଆଣିବା ପରେ ଏହି କାରବାର ସଂକ୍ରାନ୍ତରେ ବହୁ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି।




admin 