ବନ୍ୟା ଅଞ୍ଚଳରେ ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବାଣ୍ଟିବେ ରାଜ୍ୟ ସରକାର
ବନ୍ୟା ଅଞ୍ଚଳରେ ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବାଣ୍ଟିବେ ରାଜ୍ୟ ସରକାର
ଭୁବନେଶ୍ୱର: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳର ମହିଳାଙ୍କୁ ସାନିଟାରୀ ପ୍ୟାଡ୍ ବଣ୍ଟନ ନେଇ ଚିଠିରେ ଉଲ୍ଲେଖ ରହିଛି ।
ଖୋର୍ଦ୍ଧା, ପୁରୀ,କଟକ, କେନ୍ଦ୍ରପଡ଼ା, ଜଗତସିଂହପୁର, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ବୌଦ୍ଧ ଅଞ୍ଚଳରେ ସାନିଟାରୀ ପ୍ୟାଡ୍ ବଣ୍ଟାଯିବ । ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ମହିଳା ଓ କିଶୋରୀମାନେ ମୁଖ୍ୟତଃ ଏହି ସମସ୍ୟାର ସମ୍ମୁଖନ ହେଉଥିଲେ ବି ଲୋକଲଜ୍ଜା ଭୟରେ କାହାକୁ କିଛି କହି ପାରୁ ନ ଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର।
ଜଳବନ୍ଦୀ ସମସ୍ୟା ଯୋଗୁ ଘରୁ ଗୋଡ଼ କାଢ଼ିପାରୁନଥିବା ମହିଳାଙ୍କ ପାଖରେ ସାନିଟାରୀ ପ୍ୟାଡ୍ ନ ଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ନିଜ ସମସ୍ୟା ସେମାନେ କାହା ଆଗରେ ବଖାଣି ପାରୁନଥିଲେ। ଏପରିକି ଉପାୟଶୂନ୍ୟ ହୋଇ କପଡ଼ା ବ୍ୟବହାର କରିବାକୁ ବାଧ୍ୟ ହେଉଥିଲେ । ଏଣୁ ମହିଳାଙ୍କ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବନ୍ୟା ରିଲିଫ୍ ସାମଗ୍ରୀରେ ସାନିଟାରୀ ପ୍ୟାଡକୁ ଅନ୍ତର୍ଭୁକ୍ତ କରିବାକୁ ଦାବି ଜୋର ଧରିଥିଲା। ଏହାପରେ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ଏହାକୁ ଅତ୍ୟାବଶ୍ୟକ ରିଲିଫ କିଟ୍ ଭାବେ ଗ୍ରହଣ କରାଯାଇଛି।




admin 