ବନ୍ୟା ବିଭୀଷିକା, ସଜାଗ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ
ବନ୍ୟା ବିଭୀଷିକା, ସଜାଗ ରହିବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ବର: ମହାନଦୀରେ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ହୋଇଛି । ଗାଁ ଗାଁରେ ପାଣି ପଶିଲାଣି । ଚୁଲି ଚାଳ ସବୁ ଭାସୁଛି । ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ‘‘ରାଜ୍ୟରେ ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ପ୍ରବାହିତ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କିଛି ଗ୍ରାମରେ ବନ୍ୟା ଜଳ ପଶିଥିବା ଖବର ଆସୁଛି । ଏ ସମୟରେ ଆଉ ଏକ ଲଘୁଚାପ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି ସମୟରେ ବର୍ଷା ଓ ବନ୍ୟା ପାଇଁ ଅଧିକ ସତର୍କ ଓ ସଜାଗ ରହିବା ଆବଶ୍ୟକ । ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା କୌଣସି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବାକୁ ବନ୍ୟା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପ୍ରଶାସନ ଦ୍ୱାରା ଜାରି ବନ୍ୟା ସତର୍କତା ସୂଚନାକୁ ପାଳନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି’’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଏଭଳି ପରିସ୍ଥିତିରେ ଆମ ଦଳର କାର୍ୟ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମାଜର ଯୁବ ସାଥୀମାନେ ମଧ୍ୟ ଲୋକଙ୍କ ସାଙ୍ଗରେ ଠିଆ ହୋଇ ସାହାଯ୍ୟ କରିବା ସହ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହେବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।




admin 