ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ
ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ
admin
May 11, 2021 - 14:58
Updated: May 11, 2021 - 14:58
ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରାମଚନ୍ଦ୍ର ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ଆମ୍ରି ହସପିଟାଲରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ୫୦ ବର୍ଷ ହୋଇଥିଲା । ଓଡ଼ିଆ ସମ୍ବାଦ ସରବରାହ ସଂସ୍ଥା ‘ତଥ୍ୟ’ର ପ୍ରତିଷ୍ଠାତା ସ୍ୱର୍ଗତ ମିଶ୍ର ରାଜଧାନୀ ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଆରସି ଭାବେ ପରିଚିତ ଥିଲେ । ଭଦ୍ରକ ଜିଲା ଧୂଷୂରୀ ଗୁରୁନଗର ଶାସନର ମୂଳବାସିନ୍ଦା ସ୍ୱର୍ଗତ ମିଶ୍ର ନବେଦଶକ ପ୍ରାରମ୍ଭରେ ଦିଲ୍ଲୀ ଆସିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ରହିଥିଲା । ବିଜୁ ବାବୁଙ୍କ ମୃତୁ୍ୟ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ବୁଝୁଥିଲେ ସ୍ୱର୍ଗତ ମିଶ୍ର । ବିଜୁ ଜନତା ଦଳ ଗଠନ ଠାରୁ ଆରମ୍ଭ କରି ଭାରତୀୟ ନିର୍ବାଚନ ଆୟୋଗରେ ଦଳର ପଞ୍ଜୀକରଣ ପ୍ରକ୍ରିୟାରେ ତାଙ୍କର ବିଶେଷ ଭୂମିକା ରହିଥିଲା । କେନ୍ଦ୍ରରେ ଦିଲ୍ଲୀପ ରାୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଓଏସଡି ଦାୟିତ୍ୱ ତୁଲାଇଥିଲେ ସ୍ୱର୍ଗତ ମିଶ୍ର । ଦିଲ୍ଲୀର ଅଧିକାଂଶ ପ୍ରବାସୀ ଓଡ଼ିଆ ସଂଗଠନ ସହ ସେ ଜଡ଼ିତ ରହିଥିଲେ । ରାଜଧାନୀରେ ନିଜର କ୍ୟାରିଅର ଗଢ଼ିବାକୁ ଆସୁଥିବା ଯୁବ ଓଡ଼ିଆଙ୍କୁ ପ୍ରୋସôାହିତ କରୁଥିଲେ । ବିଶେଷ କରି ଦିଲ୍ଲୀରେ ପାଠପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଦୁଃଖସୁଖର ସାଥି ବନୁଥିଲେ । ‘ତଥ୍ୟ’ ଓ ପଞ୍ଜାବୀ ଦୈନିକ ‘ଆଜାଦ ସୋଚ’ ମାଧ୍ୟମରେ ସ୍ୱର୍ଗତ ମିଶ୍ର ଦିଲ୍ଲୀରେ ନିଜର ସାମ୍ବାଦିକତା ଜାରି ରଖିଥିଲେ । ‘ମେ ଫେୟାର’ ହୋଟେଲ ଗୃପ ସହ ମଧ୍ୟ ସେ ଜଡ଼ିତ ଥିଲେ ।
ଗତ ଅପ୍ରେଲ ୨୨ରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଏୟାର ଆମ୍ଭୁଲାନସ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆମ୍ରି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ପତ୍ନୀ ଅନୁପମା, ଦୁଇ ପୁଅ ଆଶୁତୋଷ ଓ ଅଭିଶେଖ ଅଛନ୍ତି । ଭୂବନେଶ୍ୱର ସତ୍ୟନଗର ଶ୍ମଶାନରେ ଅନ୍ତିମ ସଂସ୍କାର ହୋଇଥିଲା । ବଡ଼ପୁଅ ଆଶୁତୋଷ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ବଡ଼ ଭାଇ ବ୍ରଜ କିଶୋର ମିଶ୍ର, ଭବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, କଂଗ୍ରେସ ନେତା ମାନସ ଚୌଧୁରୀ, ସୌଭାଗ୍ୟ ମହାପାତ୍ର, ପ୍ରହଲ୍ଲାଦ ସିଂ, ମେ ଫେୟାର ନିର୍ଦେଶକ ପୂଜା ରାୟ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆରସି ମିଶ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।