ବିଜେଡିକୁ ସୁହାଇଲା ଭଳି ସଂରକ୍ଷଣ: କଂଗ୍ରେସ
ବିଜେଡିକୁ ସୁହାଇଲା ଭଳି ସଂରକ୍ଷଣ: କଂଗ୍ରେସ
admin
Nov 5, 2021 - 12:58
Updated: Nov 5, 2021 - 12:58
ଭୁବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାତିଲା କଂଗ୍ରେସ । ରାଜ୍ୟ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଶାସକ ବିଜୁ ଜନତା ଦଳକୁ ସୁହାଇଲା ଭଳି ହୋଇଛି। ଅନେକ ପଞ୍ଚାୟତରେ ଓବିସି ବର୍ଗ ପାଇଁ ବ୍ୟବସ୍ଥା ନାହିଁ । ଏସସି/ଏସଟିଙ୍କ ପାଇଁ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି ସରକାର । ଶୁକ୍ରବାର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ ।
କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାଶ କହିଛନ୍ତି, ବିଜେଡି ସରକାର ଶାସକ ଦଳକୁ ଯେମିତି ସୁହାଇବ ସେମିତି ସଂରକ୍ଷଣ କରୁଛନ୍ତି ପଞ୍ଚାୟତ ନିର୍ବାଚନ ପାଇଁ, ଏ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାକୁ ମାଟିରେ ମିଶାଇ ଦେଇଛନ୍ତି । ଚାରିଆଡେ ବାବୁରାଜ୍ ଚାଲିଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚଙ୍କ ସବୁ ନିଷ୍ପତ୍ତି ନେବାର କ୍ଷମତା ଥିଲେ ସୁଦ୍ଧା ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି । ବିଡ଼ିଓଙ୍କ ବିନା ଅନୁମତିରେ ସେମାନେ କିଛି ପାରୁନାହାନ୍ତି ।ମୁଖ୍ୟମନ୍ତ୍ରୀ ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜଣା ପରେ ଯୋଜନା କରୁଥିବା କହୁଛନ୍ତି । ହେଲେ ବିଜେଡିର ନେତା, ମନ୍ତ୍ରୀ ଏବଂ ବିଧାୟକ ସରପଞ୍ଚମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି । ବିଜେଡି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର କଥା କହୁଥିବାବେଳେ ଏଠାରେ ତାଳୁରୁ ତଳିପା ସବୁଠି ଦୁର୍ନୀତି ଚରମ ସୀମାରେ ରହିଛି । ବିଗତ ୧୦ ବର୍ଷ ହେବ ଗ୍ରାମସଭା ବସୁନାହିଁ । ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଲଟିଛି । ଜଳେଶ୍ବର ବ୍ଲକର କଳମା ପଞ୍ଚାୟତରେ ୩୫ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ କରି ଶାସକ ଦଳ ଉପରେ ଏଭଳି ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ।ଆଗାମୀ ଦିନରେ କଂଗ୍ରେସ ଇସ୍ତାହାର ପ୍ରସ୍ତୁତ କରିବ ଏବଂ ପ୍ରତି ପଞ୍ଚାୟତରେ ଜନଶୁଣାଣି କରିବ । ଏପରିକି ପଞ୍ଚାୟତ ସ୍ତରରେ ସବୁ ସରକାରୀ ଦଳ ନେତାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିବୁ ବୋଲି କହିଛି କଂଗ୍ରେସ ।