ବିଜେଡିରେ ଏବେଠୁ ଡେପୁଟି ମେୟର ଦୌଡ଼
ବିଜେଡିରେ ଏବେଠୁ ଡେପୁଟି ମେୟର ଦୌଡ଼
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ଆସନ ମହିଳା ପାଇଁ ସଂରକ୍ଷିତ ହୋଇଛି । ତେଣୁ ମେୟର ପାଇଁ ଦୀର୍ଘ ବର୍ଷରୁ ଆଶା ବାନ୍ଧିଥିବା ବିଜେଡି ଦଳର ମାଳମାଳ ଆଶାୟୀ ଏବେ ଡେପୁଟି ମେୟର ପାଇଁ ଲବି ଆରମ୍ଭ କରିଦେଲେଣି । ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ଡେପୁଟି ମେୟର ପଦବୀ ସଂରକ୍ଷିତ ହେବା ସମ୍ଭାବନା କମ୍ । ତେଣୁ ମେୟର ଆସନକୁ ଭୁଲି ଡେପୁଟି ମେୟର ହେବାକୁ ବିଜେଡିରେ ମାଳମାଳ ନେତା ଏବେଠାରୁ ଆଶା ବାନ୍ଧି ପ୍ରୟାସ କଲେଣି । ବିଧାୟକ, ମନ୍ତ୍ରୀ, ସଂଗଠନ ମୁଖିଆଙ୍କଠାରୁ ନେଇ ତୃତୀୟ ମହଲା ପର୍ଯ୍ୟନ୍ତ ସଭିଙ୍କ ପାଖରେ ନିଜ ଦାବିଦାରୀ ଜାହିର କରିବାକୁ ଲାଗି ପଡ଼ିଲେଣି । ବିଏମସି ନିର୍ବାଚନରେ ଆଗକୁ ଏହା ବିଜେଡିର ଟେନସନ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।
ମେୟର ପାଇଁ ଯେଉଁମାନେ ପୂର୍ବରୁ ଆଶାୟୀ ଥିଲେ, ସେଇମାନେ ହିଁ ପ୍ରାୟତଃ ଡେପୁଟି ମେୟର ହେବାକୁ ଆଶା ବାନ୍ଧିଥିବା ଦଳ ଭିତରେ ଚର୍ଚ୍ଚା ହେଉଛି । ପୂର୍ବତନ କର୍ପୋରେଟର ଅମରେଶ ଜେନା (ବାଇଁଆ), ବିରଞ୍ଚିନାରାୟଣ ମହାସୁପକାର (ଲିଟୁ), ଏସ୍କେ ନିଜାମୁଦ୍ଧିନ (ନିଜାମ)ଙ୍କ ନାଁ ଚର୍ଚ୍ଚାରେ ଆଗୁଆ ରହିଛି । ଅମରେଶ ପୂର୍ବରୁ ଜିଲ୍ଲା ସଭାପତି ଥିବାବେଳେ ସଂଗଠନରେ ତାଙ୍କର ବେଶ୍ ଦବଦବା ରହିଛି । ସେ ମଧ୍ୟ ମେୟର ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ଗତ ନିର୍ବାଚନରେ । ହେଲେ ଅମରେଶଙ୍କ ବାଟରେ କଣ୍ଟା ସାଜିପାରନ୍ତି ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) । ବୁନୁ ମେୟର ଥିବା ସମୟରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ମନାନ୍ତର ଖବର ଚର୍ଚ୍ଚାରେ ରହିଛି । ଏପରିକି ଅମରେଶଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବା ପଛରେ ବୁନୁଙ୍କ ହାତ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା ।
ଡେପୁଟି ମେୟର ପଦ ପାଇଁ ଅନ୍ୟତମ ପ୍ରମୁଖ ଆଶାୟୀ ବିରଞ୍ଚି (ଲିଟୁ) । ସେ ମଧ୍ୟ ଏଥର ମେୟର ହେବାକୁ ବେଶ୍ ଆଶାୟୀ ଥିଲେ ବୋଲି ଶୁଣାଯାଉଥିଲା । ହେଲେ ତାଙ୍କ କ୍ଷେତ୍ରରେ ସମସ୍ୟା ହେଲା- ସେ ଅତୀତରେ ଦଳ ବିରୋଧରେ ବିଦ୍ରୋହୀ ସାଜିଥିଲେ । ଯଦିଓ ଲିଟୁ ମଧ୍ୟ ଭୁବନେଶ୍ୱର ବିଧାୟକ ବୁନୁଙ୍କ ନିକଟତମ, ହେଲେ ଏକାମ୍ର ବିଧାୟକଙ୍କ ଆଶୀର୍ବାଦ ତାଙ୍କୁ ମିଳିବା ନେଇ ସନେ୍ଦହ ରହିଛି । ଡେୁପଟି ମେୟର ଦୌଡ଼ରେ ଦଳର ଅନ୍ୟତମ ଆଶାୟୀ ନିଜାମ ବୋଲି ଚର୍ଚ୍ଚା ହେଉଛି । ନିଜାମ ସର୍ବାଧିକ ଥର କର୍ପୋରେଟର ହୋଇଥିବାବେଳେ ତିନି ବିଧାୟକଙ୍କ ସହ ତାଙ୍କର ସମ୍ପର୍କ ପ୍ରାୟତଃ ଭଲ । ମାତ୍ର ଜିଲ୍ଲା ସଂଗଠନରେ ତାଙ୍କର ସେଭଳି ପ୍ରଭାବ ନଥିବାରୁ ଲବିରେ ସେ ପଛୁଆ ରହିଯାଉଥିବା ଶୁଣିବାକୁ ମିଳୁଛି ।
ଏହାବାଦ୍ ବି ଅନେକ ଆଶାୟୀ ଅଛନ୍ତି ବିଜେଡିରେ । ଚର୍ଚ୍ଚାରେ ପୂର୍ବତନ କର୍ପୋରେଟର ନୃପେଶ ନାୟକଙ୍କ ନାମ ମଧ୍ୟ ରହିଛି । ୨୦୦୮ରେ ନୃପେଶ କର୍ପୋରେଟର ଥିଲେ । ହେଲେ ୨୦୧୪ରେ ୱାର୍ଡ ସଂରକ୍ଷିତ ହେବାରୁ ତାଙ୍କ ପତ୍ନୀ ସୀମା ନାୟକ କର୍ପୋରେଟର ଥିଲେ । ଏଥର ତାଙ୍କ ୱାର୍ଡ ଅଣସଂରକ୍ଷିତ ହୋଇଯାଇଥିବାରୁ ନୃପେଶ ନିର୍ବାଚନ ଲଢ଼ିବା ସହ ମଧ୍ୟ ଡେପୁଟି ମେୟର ଆସନ ଉପରେ ନଜର ରଖିଥିବା କୁହାଯାଉଛି । ଗତ ନିର୍ବାଚନରେ ପ୍ରଥମ କରି କର୍ପୋରେଟର ହୋଇଥିବା ସୁଜିତ ସ୍ୱାଇଁଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତାଙ୍କ ୱାର୍ଡ ଅଣସଂରକ୍ଷିତ ଥିବାରୁ ସେ ପୁଣି ଥରେ ନିର୍ବାଚନ ଲଢ଼ିବା ସହ ଯୁବ ଚେହେରା ଭାବେ ଡେପୁଟି ମେୟର ଦୌଡ଼ରେ ରହିପାରନ୍ତି ।
ପୂର୍ବରୁ ମେୟର ଆସନ ପାଇଁ ଆଶାୟୀ କୁହାଯାଉଥିବା ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ହୃଦୟ ବଲ୍ଲଭ ସାମନ୍ତରାୟ, ନିହାର ସାହୁ, ଦେବୀ ପ୍ରସାଦ ନନ୍ଦ, ସଂଜୟ ସେଠୀ ଏଥର ନିର୍ବାଚନ ଲଢ଼ିବା ସମ୍ଭାବନା କମ୍ । ତେଣୁ ସେମାନେ ଡେପୁଟି ମେୟର ରେସରେ ରହିନପାରନ୍ତି । ମାତ୍ର ଆଉ ସମ୍ଭାବନା ହେଲା, ଡେପୁଟି ମେୟର ହେବା ଆଶାରେ ଏଥିମଧ୍ୟରୁ କେତେକ କର୍ପୋରେଟର ଏଥର ନିଜ ୱାର୍ଡ ଛାଡ଼ି ଅନ୍ୟ ୱାର୍ଡରୁ ନିର୍ବାଚନ ଲଢ଼ିପାରନ୍ତି । ହେଲେ ଏଥିପାଇଁ ଦଳରୁ ଟିକେଟ ପକ୍କା କରିବା କାଠିକର ପାଠ ହୋଇପାରେ ।
ପଂଚାୟତ ଭୋଟ ସରିବା ପରେ ଆସନ୍ତା ଏପ୍ରିଲ କିମ୍ବା ମେ’ ମାସରେ ବିଏମସି ନିର୍ବାଚନ ହେବ ବୋଲି ଅନୁମାନ କରାଯାଉଛି । ଏଥର ମେୟର ଆସନ ଆସନ ପାଇଁ ଲୋକେ ସିଧାସଳଖ ଭୋଟ ଦେବେ । ହେଲେ ଡେପୁଟି ମେୟର ନିର୍ବାଚନ ପୂର୍ବଭଳି ନିର୍ବାଚିତ କର୍ପୋରେଟଙ୍କର ଭୋଟରେ ହେବ । ଏଥର ବିଏମସି ନିର୍ବାଚନରେ ସ୍ଥିତି କ’ଣ ହେବ ଜଣାନଥିବାବେଳେ ବିଜେଡିରେ ଡେପୁଟି ମେୟର ପଦ ପାଇଁ ଏବେଠାରୁ ମାଳମାଳ ଆଶାୟୀ ବାହାରିଲେଣି । ଏହା ଦଳକୁ ଆଗକୁ ନେବ ନା ବିଦ୍ରୋହୀ ସମସ୍ୟା ଛିଡ଼ା କରିବ, ତାହା ସମୟ କହିବ ।




admin 