ବିବିସି କାର୍ୟ୍ୟାଳୟରେ ଜାରି ରହିଛି ଆୟକର ଚଢ଼ଉ
ବିବିସି କାର୍ୟ୍ୟାଳୟରେ ଜାରି ରହିଛି ଆୟକର ଚଢ଼ଉ
ନୂଆଦିଲ୍ଲୀ: ମୁମ୍ବଇ ଓ ନୂଆଦିଲ୍ଲୀସ୍ଥିତ ବିବିସି କାର୍ୟ୍ୟାଳୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଆୟକର ଚଢଉ ଆଜି ଦ୍ୱିତୀୟ ଦିନରେ ବି । ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ। ବିବିସି ବିରୋଧରେ ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ସମ୍ପର୍କିତ ଅଭିଯୋଗର ତଦନ୍ତ ଆଧାରରେ ଏହି ଚଢଉ ହୋଇଛି। ବିବିସି କାର୍ୟ୍ୟାଳୟ ଆର୍ଥିକ ବିଭାଗର କମ୍ପ୍ୟୁଟର, ଲାପଟପ ଓ କେତେକ କର୍ମଚାରୀଙ୍କ ମୋବାଇଲ ଫୋନକୁ ଆୟକର ବିଭାଗ ଅଧିକାରୀମାନେ ଦୀର୍ଘ ଘଣ୍ଟା ଧରି ଯାଞ୍ଚ କରିଥିବା ଜଣାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ବରିଷ୍ଠ ସଦସ୍ୟଙ୍କ କହିବା ଅନୁଯାୟୀ ବିବିସି କାର୍ୟ୍ୟାଳୟରେ ଚଢଉ ନୁହେଁ ସର୍ଭେ କରାଯାଇଛି। ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) କାର୍ୟ୍ୟାଳୟରେ ଆୟକର ବିଭାଗର ଏପରି ଚଢଉକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ନିକଟରେ ବିବିସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରସାରଣ କରାଯାଇଥିଲା। ଏହି ବୃତ୍ତଚିତ୍ରରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକାକୁ ଚିତ୍ରଣ କରାଯାଇଥିଲା। ବୃତ୍ତଚିତ୍ରକୁ ନିଷିଦ୍ଧ କରାଯିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିବିସିର ବୃତ୍ତଚିତ୍ର ପ୍ରସାରଣ ପରେ ପରେ ଆୟକର ଚଢଉ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ବିରୋଧୀ ରାଜନୈତିକ ଦଳଗୁଡିକ କହିଛନ୍ତି ଯେ ସରକାରଙ୍କ ଏପରି କାର୍ୟ୍ୟ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି କରିଛି। ଚଢଉକୁ ନେଇ ବିବିସି କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ଆୟକର ବିଭାଗ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛି। ଆଶା କରାଯାଉଛି ଯେ ଏହି ସମସ୍ୟାର ଖୁବ୍ଶୀଘ୍ର ସମାଧାନ ହୋଇଯିବ। ସେହିପରି ବ୍ରିଟେନ ସରକାର କହିଛନ୍ତି ଯେ ବିବିସି କାର୍ୟ୍ୟାଳୟ ଉପରେ ଆୟକର ବିଭାଗର ଚଢଉକୁ ଆମେ ଅନୁଧ୍ୟାନ କରୁଛୁ।




admin 