ମଦ ବିକ୍ରିକୁ ବିରୋଧ ରାସ୍ତାରେ ଟାୟାର ଜାଳିଲେ ମହଳା 

ମଦ ବିକ୍ରିକୁ ବିରୋଧ ରାସ୍ତାରେ ଟାୟାର ଜାଳିଲେ ମହଳା 

ଭୁବନେଶ୍ୱର : ତାତିଲେ ମହିଳା । ମଦ କ୍ୟାବିନକୁ ଓଲଟାଇ ରାସ୍ତାରେ ମହଳାମାନେ ଟାୟାର ଜାଳିଛନ୍ତି । ଦୀର୍ଘ ଦିନ ହେବ ଆହାରପଦା ଗାଁର ଜଣେ ବ୍ୟକ୍ତି ଏକ କ୍ୟାବିନରେ ବେଆଇନ ଭାବେ ମଦ ବିକ୍ରି କରୁଥିଲେ । ଏନେଇ ଗ୍ରାମର ମହିଳାମାନେ ଗୁଜିଦରଡା ଫାଣ୍ଡି ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ ଫଳ ଶୂନ  । ସେମାନେ ଟଙ୍କା ଖାଇ ଚୁପ୍‌ ବସୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏଥିରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଗତକାଲି ବିଳମ୍ବିତ ରାତିରେ ଘରୁ ବାହାରି ଆସି ଏକତ୍ରିତ ହୋଇଥିଲେ । 

ଏହାପରେ ସେମାନେ  ବେଆଇନ ମଦ ରଖା ଯାଇଥିବା କ୍ୟାବିନକୁ ଭାଙ୍ଗି ଓଲଟାଇ ଦେଇଥିଲେ ।  ମଦ ବାହାରକୁ ଆଣି ନଷ୍ଟ କରିଥିଲେ । ଏଥିସହ ଟାୟାର ଓ ମଦ ଜାଳି ରାସ୍ତା ଅବରୋଧ କରିଥିଲେ  । ଧୀରେ ଧୀରେ ପରିସ୍ଥିତି ଅଣାୟତ୍ତ ହେବାରୁ ଖବର ପାଇ ଗୁଜିଦରଡା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେ ମହିଳାମାନଙ୍କୁ ବୁଝାସୁଝା କରିବାରୁ ମହିଳାମାନେ ଉତକ୍ଷିପ୍ତ ହୋଇଥିଲେ । ଗାଁରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ପାଇଁ ସେମାନେ ଗୁଜିଦରଡା ଫାଣ୍ଡି ପୁଲିସକୁ ଦାୟୀ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ସଦଳବଳେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ । ଏହାପରେ ସେ ସମ୍ପୃକ୍ତ ମଦ ବେପାରୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖିଛନ୍ତି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।