ମେ’ସୁଦ୍ଧା ଚିଲିକା ହେବ ଘେରିମୁକ୍ତ

ମେ’ସୁଦ୍ଧା ଚିଲିକା ହେବ ଘେରିମୁକ୍ତ

ମେ’ସୁଦ୍ଧା ଚିଲିକା ହେବ ଘେରିମୁକ୍ତ
ଭୁବନେଶ୍ୱର : ଚିଲିକାର ନୀଳ ଜଳରାଶିରୁ ଚିଙ୍ଗୁଡ଼ି ଘେରି କିଭଳି ଉଚ୍ଛେଦ କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆସନ୍ତା ୨୭ ରୁ ଆରମ୍ଭ ହେବାକୁ ଥିବା ଚିଙ୍ଗୁଡ଼ିଘେରି ଅଭିଯାନକୁ ଯେକୌଣସି ପରିପ୍ରେକ୍ଷୀରେ ବି ଅଧାରୁ ବନ୍ଦ କରାଯିବ ନାହିଁ । ଯେଉଁ ଅଞ୍ଚଳରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ବେଳେ ସମସ୍ୟା ଉପୁଜିବ ସେ କ୍ଷେତ୍ରରେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ତ୍ୱରିତ ସମାଧାନ ଦିଗରେ ସମ୍ପୃକ୍ତ ଜିଲ୍ଲାପାଳ ପଦକ୍ଷେପ ନେବେ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଚିଲିକାର ନିଜସ୍ୱ ଅଞ୍ଚଳରୁ ଘେରିମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପୁରୀ ଓ ଖୋଦ୍ଧାକୁ ମେ’ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ପୁରୀର ୨ ହଜାର ହେକ୍ଟର ଚିଙ୍ଗୁଡି ଘେରି ମୁକ୍ତ କରାଯିବ । ଏଥିପାଇଁ ଗୃହ ବିଭାଗ ଆବଶ୍ୟକୀୟ ସୁରକ୍ଷାବଳ ଯୋଗାଇ ଦେବ । ଏହି ସମୟରେ ସମସ୍ତ ଚିଙ୍ଗୁଡ଼ି ଘେରି ଫାର୍ମରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଯଦି କୌଣସି କ୍ଷେତ୍ରରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ବେଳେ ସମସ୍ୟା ଉପୁଜିଲା ତେବେ ସେ କ୍ଷେତ୍ରରେ ଫୌଜଦାରୀ ମାମଲା ରୁଜୁ ହେବ । ଚିଲିକାରୁ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଦେଇ ଚଳିତ ମାସ ୨୦ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାଯାଇଛି । ବୈଠକରେ ନିଷ୍ପତ୍ତି କ୍ରମେ ୪ ଜିଲ୍ଲାପାଳଙ୍କୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଜି ରଘୁ ପ୍ରସାଦ ଏବଂ ସିଡିଏ ସିଇଓ ସୁଶାନ୍ତ କୁମାର ନନ୍ଦଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।