ରାଜ୍ୟ ସରକାରଙ୍କୁ ପୁଣି ଧର୍ମେନ୍ଦ୍ରଙ୍କ ଟାର୍ଗେଟ, କହିଲେ ଓଡ଼ିଶା ବିରୋଧୀ ଶକ୍ତି ଗୋ ବ୍ୟାକ୍
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ତାଙ୍କ କୋଟିଆ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିବାଦ, ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପୁଲିସ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶା ସୀମାରେ ଠିଆ ହୋଇ ଜଣେ ଓଡ଼ିଶା ବିରୋଧୀ କଥା କହିଲେ ଓଡ଼ିଶାର ସ୍ୱାଭିମାନ ନାଗରିକ ଭାବେ ମୁଁ ଥରେ ନୁହେଁ ବାରମ୍ବାର କହିବି ଓଡ଼ିଶା ବିରୋଧୀ ଶକ୍ତି ଗୋ ବ୍ୟାକ୍। ଓଡ଼ିଶାର ଭୌଗୋଳିକ ସୀମାକୁ ସୁରକ୍ଷିତ ରଖିବା ପାଇଁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେର, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତ୍ୟାଗ ବ୍ୟର୍ଥ ଯିବ ନାହିଁ। ଓଡ଼ିଆ ଭାବେ ଏହି ଅସ୍ମିତା ପାଇଁ ଲଢ଼େଇ ଜାରି ରହିବ। କୋଟିଆ ପ୍ରସଙ୍ଗରେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଏକାଠି ହୋଇ ଲଢ଼ିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
୨୦୧୮ରେ କୋଟିଆର ଗ୍ରାମାଞ୍ଚଳରେ ସ୍ଥିତି ଯେମିତି ଥିଲା, ଏବେ ବି ସେମିତି ଅଛି। ଏହି ପ୍ରସଙ୍ଗରେ ଏଠାକାର ସ୍ଥାନୀୟ ମନ୍ତ୍ରୀ ମୋତେ ଯେତେ ଗାଳି, ଅପମାନ ଦିଅନ୍ତୁ, ମୋର ଆପତ୍ତି ନାହିଁ କିନ୍ତୁ ତାଙ୍କ ବିଭାଗର କାର୍ୟ୍ୟକୁ ସୂଚାରୁରୂପେ ପରିଚାଳନା କରନ୍ତୁ। ବିଗତ କିଛି ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କୋଟିଆ ସମସ୍ୟା ଉପରେ ଆପୋଷ ବୁଝାମଣା କରିବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି। ତେଣୁ ଓଡ଼ିଶାରେ ଦଳମତ ନିର୍ବିଶେଷରେ ଏକମତ ହେବା ପାଇଁ ପଡ଼ିବ। ରାଜନୀତିରେ ଭିନ୍ନ ମତ ରହିବ, ମାତ୍ର ରାଜ୍ୟର ସୁରକ୍ଷା ପାଇଁ ଏକାଠି ହେବା ଦରକାର। ସଂସଦରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ତାଙ୍କର ରାଜ୍ୟ ସର୍ତ୍ତରେ ଏକାଠି ହୋଇଛନ୍ତି। ତେଣୁ ଓଡ଼ିଶାେର କ’ଣ ପାଇଁ ଏକ ହେବେ ନାହିଁ? ମୁଖ୍ୟମନ୍ତ୍ରୀ ସାଢ଼େ ୪କୋଟି ଓଡ଼ିଆ ଲୋକଙ୍କ ହିତ ପାଇଁ ସବୁ ଦଳକୁ ନେଇ ସାଥୀରେ ଚାଲିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ସମ୍ବଲପୁରରେ ପୁଲିସ ଉପରେ ଆକ୍ରମଣ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହା ହେଉଛି ରାଜ୍ୟ ଶାସନର ଅପାରଗତାର ଚରମ ନିଦର୍ଶନ। ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀର ପୂର୍ବ ପ୍ରସ୍ତୁତି ସମୟରେ ପୁଲିସ କର୍ମୀ ଓ ଜନତାଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ସାଧାରଣ ଜନତାଙ୍କ ସହ ପୁଲିସ କର୍ମଚାରୀମାନେ ଅଧିକ କ୍ଷତିଗ୍ରସ୍ତ ଓ ଲହୁଲୁହାଣ ହୋଇଛନ୍ତି। ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଏଥିରୁ ଅନୁମେୟ। ଆଇନଶୃଙ୍ଖଳା କଥା କହିଲେ ଶାସକ ଦଳକୁ କାହିଁକି ବାଧୁଛି? ଏହାସହ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ସବୁ ବର୍ଗର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି।




admin 