ରାଜ୍ୟର ୨୭ରୁ ବର୍ଷା ସମ୍ଭାବନା
ରାଜ୍ୟର ୨୭ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୭ ତାରିଖରୁ ଫେବ୍ରୁଆରୀ ୨ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆହୁରି ଦୁଇ ଦିନ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗକୁ ପଶ୍ଚିମା ଝଡ଼ର ପ୍ରଭାବ ଓଡ଼ିଶା ଉପରେ ରହିବ । ୨୦ ତାରିଖରୁ ଏହା ପଶ୍ଚିମା ହିମାଳୟ ଉପରେ ପ୍ରଭାବ ପକାଇପାରେ । ୨୨ରୁ ଉତ୍ତର ଭାରତ ଉପରେ ପ୍ରଭାବ ରହିବ । ୨୭ତାରିଖରୁ ଫେବ୍ରୁଆରୀ ମାସ ୨ ଯାଏ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ସେ କହିଛନ୍ତି ।
ଏବେ ଲା-ନିନା ଚାଲିଛି । ଏପ୍ରିଲ ମାସରେ ଏଲ୍-ନିନୋ ସାଉଥର୍ଣ୍ଣ ଓସିଲେସନ୍ (ଇଏନଏସ୍ଓ) ନିଉଟ୍ରାଲ୍ ରହିବ । ଜୁନ୍ ମାସରେ ଏଲ୍-ନିନୋ ସ୍ଥିତି ଆସିପାରେ । ମୌସୁମୀ ଆରମ୍ଭରୁ ନିଉଟ୍ରାଲ୍ ଓ ମଧ୍ୟ ଭାଗରେ ଏଲ୍-ନିନୋ ରହିବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି । ଏଲ୍-ନିନୋ ହେଲେ ମୌସୁମୀ ବର୍ଷାରେ ଅନିୟମତତା ଦେଖାଦିଏ । ପୂର୍ବବର୍ଷଗୁଡିକରେ ଏଭଳି ସ୍ଥିତି ହୋଇଛି । ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ଅଛି ବୋଲି ବହୁ ମଡେଲ ପୂର୍ବାନୁମାନ କରିଛନ୍ତି । ଆଜି ରାଜ୍ୟରେ ଅଧିକାଂଶ ଜିଲ୍ଲାର ରାତି ତାପମାତ୍ରା ଅଧିକ ରହିଥିଲା । ୨୬ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି ।




admin 