ସମ୍ବଲପୁରରେ ନୋ ଇଣ୍ଟରନେଟ୍
ସମ୍ବଲପୁର : ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ । ୪୮ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଆଜି ଦିନ ୧୦ରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଇଣ୍ଟରନେଟ୍ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଓ ସୋଶାଲ ମିଡିଆ ମେସେଜିଂ ସର୍ଭିସ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଗତକାଲିଠୁ ସମ୍ବଲପୁର ସହରରେ ୧୪୪ଧାରା ଜାରି ରହିଛି । ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ଼ କରିଥିଲେ।
ଏହାସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଥିଲେ।ପଥମାଡରେ ଅତିରିକ୍ତ ଏସ୍ ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ୨୫ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ଜିଲ୍ଲା ସ୍କୁଲ ଛକରେ ପୁଲିସ ପକ୍ଷରୁ ମୃଦୁ ଲାଠି ମାଡ଼ କରାଯାଇଛି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି ।




admin 