ସରକାରୀ ନିୟମକୁ ଫୁ’ : ଗୋଚର ଜମିରେ ହେଉଛି ନିର୍ମାଣ
ସରକାରୀ ନିୟମକୁ ଫୁ’ : ଗୋଚର ଜମିରେ ହେଉଛି ନିର୍ମାଣ
ବେଗୁନିଆ : କ୍ଷେତ ଯଦି ବାଡ଼ ଖାଇବ କହିବା କାହାକୁ ? ନିୟମର ସଠିକ ଅନୁପାଳନ ହେଉଛି ସରକାରୀ କର୍ମଚାରୀଙ୍କର ଦାୟିତ୍ୱ । ଖାଲି ସେତିକିନୁହେଁ ଯଦି କୌଣସି ପ୍ରକଳ୍ପ କାର୍ଯ୍ୟ ବା ଜମିଜମାକୁ ନେଇ ହାଇକୋର୍ଟରେ ମାମଲା ବିଚାରାଧୀନ ଥାଏ, ତେବେ ହାଇକୋର୍ଟଙ୍କ ରାୟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ସେଠାରେ ମାଟି ଗାଣ୍ଡୁଏ ବି ପଡ଼ିପାରିବ ନାହିଁ । ଆଶ୍ଚର୍ଯ୍ୟର କଥା ଆଇନର ସୁରକ୍ଷା ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ କିନ୍ତୁ ନିୟମକୁ ଫୁ’ କରିଦେଉଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ନ୍ୟାୟ ପାଇଁ କାହା କବାଟ ବାଡେ଼ଇବାକୁ ପଡ଼ିବ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି ।
ଏଭଳି ଏକ ସଂଗୀନ ଅଭିଯୋଗ ସିମୋର ଗ୍ରାମବାସୀମାନେ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ, ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର ପଂଚାୟତରେ ଥିବା ଗୋଚର ଜମିରେ କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଛି । ଗୋଚର ଜମିରେ ନିର୍ମାଣ କାର୍ଯ୍ୟ ନକରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଥିବାବେଳେ ହାଇକୋର୍ଟରେ ବି ଏସଂକ୍ରାନ୍ତୀୟ ମାମଲା ବିଚାରାଧୀନ ରହିଛି । ଏସବୁ ସତ୍ୱେ ସିମୋର ପଂଚାୟତରେ ବ୍ଲକ କର୍ତୃପକ୍ଷଙ୍କ ଦ୍ୱାରା ଗୋଚର ଜମିରେ ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି ।
ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗ୍ରାମର ଜନସାଧାରଣଙ୍କ ସହିତ ଗୌରଚରଣ ପ୍ରହରାଜ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଛନ୍ତି । ପ୍ରଥମେ ୨୦୧୮ ମସିହାରେ ଏହି ଘଟଣାରେ ମାମଲା ରୁଜୁ ହେବା ପରେ ସଂପୃକ୍ତ କାର୍ଯ୍ୟ ଗୁଡିକ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ମାମଲାର କୌଣସି ସମାଧାନ ନହେବା ପୂର୍ବରୁ ବ୍ଲକ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ପୁନଶ୍ଚ କାର୍ଯ୍ୟଗୁଡିକ ଆରମ୍ଭ ହେବା ଘଟଣା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ସମ୍ପୃକ୍ତ ପଂଚାୟତର ଗୋଚର ଜମିରେ କଲ୍ୟାଣ ମଣ୍ଡପ , ଯଜ୍ଞ ମଣ୍ଡପ , ଖେଳ ପଡିଆ , ସରସ୍ୱତୀ ପାଠାଗାର , ମଶାଣୀ ଚାରିପଟେ ପ୍ରାଚୀର କାର୍ଯ୍ୟ , ଗାନ୍ଧୀ ପାର୍କ , ବାପୁଜୀ ପାର୍କ ଆଦି କୋଟି କୋଟି ଟଙ୍କାର କାର୍ଯ୍ୟ ଶାସକ ଦଳର କର୍ମୀମାନଙ୍କ ଦ୍ୱାରା କରାଯାଉଥିବା ଅଭିଯୋଗ ହୋଇଛି । ଶାସକଦଳର କର୍ମୀ ମାନଙ୍କ ଦ୍ୱାରା କାର୍ଯ୍ୟ ଗୁଡିକ କରୁଛନ୍ତି ।
ଅପରପକ୍ଷରେ ଏହି ଉନ୍ନୟନମୂଳକ କାର୍ଯ୍ୟଗୁଡିକ ଗୋଚର ଜମିରେ କରା ଯାଉଥିବାରୁ ଏହାର ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ଗୌରଚରଣ ପ୍ରହରାଜ ୨୦୧୮ରେ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପିସି ୧୨୯୮୨/୧୮ କୋଡ଼ ନଂ-୧୧୯୯୦୦ ନଂ କେଶ ରୁଜୁ କରିଥିଲେ । ଉଚ୍ଚ ନ୍ୟାୟାଳୟ ଦେଇଥିବା ଧାର୍ଯ୍ୟ ସମୟ ମଧ୍ୟରେ ଜିଲ୍ଲା ପ୍ରଶାସନ କିଛି ବିଚାର ନକରିବାରୁ ଶ୍ରୀ ପ୍ରହରାଜ ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଡବ୍ଲ୍ୟୁପିସି ନଂ୧୮୬୮୫/୧୮ରେ କେଶ ରୁଜୁ କରିଥିଲେ । ଦୁଇମାସ ଭିତରେ ଘଟଣା ଉପରେ ନିଷ୍ପତି ନେଇ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।




admin 