ସାନିଟାରୀ ପ୍ୟାଡ଼୍ ସାଜିବ କ୍ୟାନସରର କାରଣ!
ସାନିଟାରୀ ପ୍ୟାଡ଼୍ ସାଜିବ କ୍ୟାନସରର କାରଣ!
ଭୁବନେଶ୍ୱର: ଆଧୁନିକ ଯୁଗରେ ମଣିଷ ନିଜକୁ ଖାପ ଖୁଆଇ ଚଳିବାରେ ସକ୍ଷମ ହେଲାଣି । ସେହିପରି ଭାବରେ ଭାରତରେ କିଶୋର ଅବସ୍ଥାରେ ପ୍ରବେଶ କରିଥିବା ପ୍ରତି ଚାରି ବାଳିକାଙ୍କ ମଧ୍ୟରୁ ତିନି ଜଣ ସାନିଟାରୀ ପ୍ୟାଡ୍ର ବ୍ୟବହାର କରିଥାନ୍ତି। ଋତୁସ୍ରାବ ସମୟରେ ଯୌନାଙ୍ଗରେ ଘଟୁଥିବା ଅନେକ ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ସାନିଟାରୀ ପ୍ୟାଡ୍ ବ୍ୟବହୃତ ହୁଏ। କିନ୍ତୁ ସାନିଟାରୀ ପ୍ୟାଡ୍ ସମ୍ବନ୍ଧରେ ଏକ ନୂତନ ଅଧ୍ୟୟନରେ କିଛି ପ୍ରକାଶ ପାଇଛି, ଯାହା ପ୍ରକୃତରେ ଭୟାନକ ଅଟେ। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ନାପକିନ୍ ବ୍ୟବହାର କର୍କଟ ରୋଗ ହେବାର ଆଶଙ୍କା ବଢିପାରେ। ବନ୍ଧ୍ୟାକରଣର ଏକ ସମସ୍ୟା ମଧ୍ୟ ହୋଇପାରେ।
ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ଯ୍ୟକ୍ରମ ସଂଯୋଜକ ତଥା ଏହି ଅଧ୍ୟୟନରେ ସାମିଲ୍ ଡାକ୍ତର ଅମିତ୍ କହିଛନ୍ତି ଯେ, ପ୍ରତିଟି ସ୍ଥାନରେ ସହଜରେ ମିଳୁଥିବା ସାନିଟାରୀ ନ୍ୟାପକିନରେ ଏମିତି ଅନେକ କେମିକାଲ୍ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ସାନିଟାରୀ ଉତ୍ପାଦରେ ଅନେକ ଗମ୍ଭୀର କେମିକାଲ ଯଥା କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ଭଳି ଅନେକ ଗମ୍ଭୀର ରାସାୟନିକ ପଦାର୍ଥ ମିଳିଥାଏ। ଏନଜିଓ ଟକ୍ସିକ୍ସ ଲିଙ୍କ୍ ପକ୍ଷରୁ ଦିଆଯାଇଥିବା ଏହି ଅଧ୍ୟୟନରେ ଭାରତରେ ସାନିଟାରୀ ନ୍ୟାପକିନ ବିକ୍ରି କରୁଥିବା ୧୦ ବ୍ରାଣ୍ଡର ଉତ୍ପାଦକୁ ସାମିଲ୍ କରାଯାଇଛି। ଅଧ୍ୟୟନ ବେଳେ ଗବେଷଣାକାରୀଙ୍କୁ ସମସ୍ତ ନମୂନାରେ ଥ୍ୟାଲେଟ୍ ଏବଂ ଭୋଲେଟାଇଲ୍ କମ୍ପାଉଣ୍ଡର ତତ୍ତ୍ଵ ମିଳିଛି। ଚିନ୍ତାର ବିଷୟ ଏହି ଦୁଇ ଦୂଷିତ ପଦାର୍ଥ କ୍ୟାନ୍ସରର କୋଷିକା ତିଆରି କରିବାରେ ସକ୍ଷମ।
ଏନଜିଓର ଅନ୍ୟ ଏକ କାର୍ଯ୍ୟକ୍ରମ ସଂଯୋଜକ ତଥା ଅଧ୍ୟୟନରେ ଜଡିତ ଆକଙ୍କଶା ମେହେରୋତ୍ରା କହିଛନ୍ତି ଯେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ସାନିଟାରୀ ପ୍ୟାଡ୍ ବ୍ୟବହାର ହେତୁ ରୋଗ ହେବାର ଆଶଙ୍କା ଅଧିକ। ବାସ୍ତବରେ ଏହି ଗମ୍ଭୀର ରାସାୟନିକ ପଦାର୍ଥ ମହିଳାଙ୍କ ଚର୍ମ ଅପେକ୍ଷା ଯୋନୀ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏପରି ପରିସ୍ଥିତିରେ ଏହି କାରଣରୁ ବିପଦ ଆହୁରି ବଢି ଯାଏ। ଏନଜିଓ ଟୋକ୍ସିକ୍ ଲିଙ୍କ୍ର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ପ୍ରୀତି ବନ୍ଥିଆ ମହେଶ କହିଛନ୍ତି, ୟୁରୋପୀୟ କ୍ଷେତ୍ରରେ ଏହି ସବୁ ପାଇଁ ନିୟମ ରହିଛି କିନ୍ତୁ ଭାରତରେ ସେମିତି ବିଶେଷ ନିୟମ ନାହିଁ। କିନ୍ତୁ ଭାରତରେ ସାନିଟାରୀ ନ୍ୟାପକିନ ବିଏସଆଇ ମାନକ ଅନ୍ତର୍ଗତ ଆସିଥାଏ। ମାତ୍ର ସେଥିରେ କେମିକାଲକୁ ନେଇ କୌଣସି ନିୟମ ନାହିଁ।
୬୪ ପ୍ରତିଶତ ବାଳିକା ସାନିଟାରୀ ନାପକିନ୍ ବ୍ୟବହାର କରୁଛନ୍ତି
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ସର୍ବଶେଷ ତଥ୍ୟ ଅନୁଯାୟୀ, ୧୫ ରୁ ୨୪ ବର୍ଷ ବୟସ ମଧ୍ୟରେ ପ୍ରାୟ ୬୪ ପ୍ରତିଶତ ଭାରତୀୟ ଝିଅ ଅଛନ୍ତି ଯେଉଁମାନେ ସାନିଟାରୀ ନାପକିନ୍ ବ୍ୟବହାର କରନ୍ତି। ଗତ କିଛି ସମୟ ମଧ୍ୟରେ ସଚେତନତା ବୃଦ୍ଧି ହେତୁ ଏହାର ବ୍ୟବହାରରେ ମଧ୍ୟ ବୃଦ୍ଧି ଘଟିଛି। IMARC ଗ୍ରୁପ୍ ଅନୁଯାୟୀ, ସାନିଟାରୀ ଉତ୍ପାଦ ପାଇଁ ଭାରତ ଏକ ବଡ଼ ବଜାର। ୨୦୨୧ ମସିହାରେ ସାନିଟାରୀ ନାପକିନ୍ ର କାରବାର ୬୧୮ ନିୟୁତ ଡଲାର ଥିଲା। ଆହୁରି ମଧ୍ୟ ଆକଳନ କରାଯାଇଛି ଯେ ୨୦୨୭ ସୁଦ୍ଧା ଏହି ବଜାର ୧.୨ ବିଲିୟନ ଡ଼ଲାରରେ ପହଞ୍ଚିବ।




admin 