ସୁରକ୍ଷା ବ୍ୟବସ୍ଥା ହଟିବା ପରେ ହତ୍ୟା
ସୁରକ୍ଷା ବ୍ୟବସ୍ଥା ହଟିବା ପରେ ହତ୍ୟା
ଅମୃତସର: ପ୍ରସିଦ୍ଧ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମାସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏ ଖବର ପଞ୍ଜାବରେ ଚାଂଚଲ୍ୟ ଖେଳାଇ ଦେଇଛି । ଆଜି ଅପରାହ୍ନରେ ସିଦ୍ଧୁ ନିଜ ଏସୟୁଭି କାରରେ ମାନସାସ୍ଥିତ ଗାଁକୁ ଯାଉଥିଲେ । ଏହି ସମୟରେ କେତେକ ଦୁବୃର୍ତ୍ତ ତାଙ୍କ ଗାଡ଼ିକୁ ଆଖି ବୁଜା ଗୁଳି ମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ ସିଦ୍ଧୁଙ୍କୁ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ପରେ ପଞ୍ଜାବ ସରକାର ଉପରକୁ ଆଙ୍ଗୁଠି ଉଠିଛି । ପୂର୍ବରୁ ପଞ୍ଜାବୀ ଗାୟକ ସିଦ୍ଧୁଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇଥିଲେ । ମାତ୍ର ଆପ୍ ସରକାର ଗତକାଲି ତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦେଇଥିଲେ । ସରକାର ସୁରକ୍ଷା ପ୍ରତ୍ୟାହାର କରିବାର ଦିନକ ପରେ ସିଦ୍ଧୁଙ୍କ ହତ୍ୟା ହେବା ପରେ ପଞ୍ଜାବ କଂଗ୍ରେସ ଏହାକୁ ନେଇ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଛି । ଗତ ବିଧାନସଭା ନିର୍ବାଚନରେ ପଂଜାବୀ ଗାୟକ ସିଦ୍ଧୁ କଂଗ୍ରେସ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିଲେ । ମାତ୍ର ସେ ନିର୍ବାଚନ ହାରିଯାଇଥିଲେ । ଏହି ଆସନରେ ବିଜୟୀ ହୋଇଥିବା ଆପ୍ ବିଧାୟକ ବିଜୟ ସିଙ୍ଗଲା ଆପ୍ ସରକାରରେ ମନ୍ତ୍ରୀ ହୋଇଥିଲେ । ନିକଟରେ ଏକ ଦୁର୍ନୀତି ମାମଲାରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଯାଇଛି । ନିକଟରେ ପଞ୍ଜାବୀ ଗାୟକ ସିଦ୍ଧୁ ଏକ ଗୀତ ରିଲିଜ କରିଥିଲେ । ଏ ଗୀତରେ ସେ ଆପ ସରକାରକୁ ଟାର୍ଗେଟ କରିଥିବା କୁହାଯାଉଥିଲା । ଏହାକୁ ନେଇ ବିବାଦ ବି ଉଠିଥିଲା । ତେବେ ହତ୍ୟାକାଣ୍ଡ କିଏ କଲା? ଏହାର କାରଣ କ’ଣ ଏଯାଏଁ ଜଣାପଡ଼ିନି ।




admin 