ସୂର୍ୟ୍ୟକିରଣ ଏୟାର ସୋ ପାଇଁ ୧୫ରେ ରିହର୍ସାଲ
ସୂର୍ୟ୍ୟକିରଣ ଏୟାର ସୋ ପାଇଁ ୧୫ରେ ରିହର୍ସାଲ
ଭୁବନେଶ୍ୱର : ବାୟୁସେନା ପକ୍ଷରୁ ହେବାକୁ ଥିବା ସୂର୍ୟ୍ୟକିରଣ ଏୟାର ସୋ ପାଇଁ ହକ୍ ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି । ଆଜି କର୍ଣ୍ଣାଟକରୁ ଆଉ କିଛି ବିମାନ ପହଞ୍ଚିବ । ୧୫ ତାରିଖରେ ଭୁବନେଶ୍ୱର କୁଆଖାଇ ପଠାରେ ରିହର୍ସାଲ ହେବାର କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ସୋମବାର ପୁଲିସ କମିଶନର ଏବଂ ଡିସିପି ଘଟଣାସ୍ଥଳ ବୁଲି ଦେଖିଛନ୍ତି । ଏୟାର ସୋ ଲାଗି ପୂର୍ବରୁ ଏନ୍-୩୨ ବିମାନରେ ଇଣ୍ଡକ୍ସନ ଟିମ ଭୁବନେଶ୍ୱରରେ ପହଞ୍ଚିଛି । ଆଜି ଏନ୍-୧୭ ଗ୍ଲୋବ ମାଷ୍ଟର ବିମାନରେ ହକ୍ ବିମାନ ଓ ଏହାର ଉପକରଣ ଆସିଛି । ଏହି ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡବାଏ ରହିବ ।
ସୋ’ ପ୍ରାୟ ୪୫ ମିନିଟର ହେବ । ଏଥିରେ ବାୟୁସେନାର ପ୍ରଶିକ୍ଷିତ ପାଇଲଟ୍ମାନେ ଆକାଶରେ ତ୍ରିରଙ୍ଗା ଆଙ୍କିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କୌଶଳ ଦେଖାଇବେ। ଏଥିପାଇଁ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଭୁବନେଶ୍ୱର ବିମାନବନ୍ଦରରେ ଉଡ଼ାଣ ବନ୍ଦ ରହିବ । ପୁରୀ ଏବଂ ଭୁବନେଶ୍ୱରରେ ଏୟାର ସୋ ଆୟୋଜନ ହେବା ସୂଚନା ମିଳିବା ପରେ ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି ।
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଭୁବନେଶ୍ୱର ଓ ପୁରୀରେ ବାୟୁସେନା ପକ୍ଷରୁ ସୂର୍ୟ୍ୟକିରଣ ସୋ କରାଯିବ । ୧୬ ତାରିଖରେ ଭୁବନେଶ୍ୱର ନିକଟସ୍ଥ କୂଆଖାଇ ନଦୀପଠା ବାଲିଯାତ୍ର ପଡ଼ିଆ ଓ ୧୮ ତାରିଖରେ ପୁରୀର ଗଭର୍ଣ୍ଣର ହାଉସ ପରିସରରେ ସୂର୍ୟ୍ୟକିରଣ ସୋ କରାଯିବା ପାଇଁ ସ୍ଥିର ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଯୋଗଦେବା କାର୍ୟ୍ୟକ୍ରମ ରହିଛି । ଏୟାରଫୋର୍ସର ପଦାଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଏ ନେଇ ଅତିଥିଙ୍କ ସଭାସ୍ଥଳ ପାର୍କିଂ ଓ ସାଧାରଣ ଲୋକଙ୍କ ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବାବେଳେ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିଛନ୍ତି ପୁଲିସ କମିଶନର ।




admin 