ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ

ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ

ସୋମବାର ବସିବ ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମନ୍ତ୍ରୀମାନଙ୍କ ନିକଟରେ ଚୂଡାନ୍ତ କ୍ୟାବିନେଟ ପ୍ରସ୍ତାବ ପହଞ୍ଚି ନାହିଁ । ତେବେ ସୂଚନା ମୁତାବକ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ହେବ । ଏ ସଂକ୍ରାନ୍ତରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ, ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ନେଇ ଗତ ଶୁକ୍ରବାର ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ଯେଉଁ ସୁପାରିସ କରିଥିଲେ, ତାହା ଉପରେ ସରକାର ଠୋସ ପଦକ୍ଷେପ ନେବେ । ଏଥିପାଇଁ ଏକ କ୍ୟାବିନେଟ ନୋଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ଗ୍ରାମାଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଓ ମରାମତି କରିବା ଦାୟିତ୍ୱ ଦିଆଯିବ । ଏହାସହିତ ସବଡିଭିଜନ ହସ୍ପିଟାଲ ଓ ମୁଖ୍ୟ ଚିକିତ୍ସାଳୟର ରକ୍ଷଣାବେକ୍ଷଣ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ କରିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରାଥମିକ ସ୍ତରରେ କେଉଁ କେଉଁ କ୍ଷମତା ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରିବେ ତାର ତାଲିକା ପ୍ରସ୍ତୁତ କରି ମନ୍ତ୍ରୀସ୍ତରୀୟ କମିଟି ସୁପାରିସ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଚଦଶ ଅର୍ଥ କମିସନ ଓ ପଞ୍ଚମ ଅର୍ଥ କମିସନଙ୍କ ରିପୋର୍ଟକୁ ଆଧାର କରି ଗତ ସପ୍ତାହରେ ପଞ୍ଚାୟତିରାଜ ମନ୍ତ୍ରୀ ଏସବୁ କ୍ଷେତ୍ରରେ କିଭଳି ଅର୍ଥ ବିନିଯୋଗ ହେବ, ସେ ନେଇ ଘୋଷଣା କରିଥିଲେ । ଏବେ ପଞ୍ଚାୟତିରାଜ ବିଭାଗ, ଅର୍ଥ ବିଭାଗ ସହିତ ପରାମର୍ଶ କରି ବିଭିନ୍ନ ପଞ୍ଚାୟତିରାଜ ଅନୁଷ୍ଠାନକୁ ଅର୍ଥ ଆବଣ୍ଟନ କରିବେ । ତେବେ ଏସବୁ ଉପରେ ସରକାରୀ ମୋହର ଲଗାଇବା ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ ବସିଥିଲା । ଗୋଟିଏ ଦିନରେ କମିଟି ତାର ରିପୋର୍ଟ ଦେଇଛି । ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, କୃଷି ମନ୍ତ୍ରୀ ଅରୁଣ ସାହୁ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସଦସ୍ୟ ଥିଲେ । ତେବେ ବୈଠକରେ ମହିଳା ଓ ଶିଶୁ ବିକାଶ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁପସ୍ଥିତ ଥିଲେ ।