ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ, ପିଲାଙ୍କ ସହ ସମୟ କାଟିଲେ, ମନ୍ଦିର ବୁଲିଲେ
ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ, ପିଲାଙ୍କ ସହ ସମୟ କାଟିଲେ, ମନ୍ଦିର ବୁଲିଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯାଇ ମା' ତାରାତାରିଣୀଙ୍କ ପବିତ୍ର ପୀଠରୁ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା। ଏ ଦିଗରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ଼ ରାଜ୍ୟବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ । ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ ସହିତ ମୁଖ୍ୟମନ୍ତ୍ରୀ ଗଞ୍ଜାମ ରେ ୨୧୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରମିଳା ବିଶୋଇ, ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବର ପ୍ରଶଂସା କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ସେଠାରେ ମନ୍ଦିର ବିକାଶ କାମର ସମୀକ୍ଷା କରି ୨୦୨୩ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ। ତାରାତରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଗଞ୍ଜାମ ରେ ମିଶନ ଶକ୍ତି ସଦସ୍ୟାମାନଙ୍କ କାମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଶହେ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ ।
୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠର ସ୍ମାର୍ଟ କ୍ଲାସ ରୁମ ଓ ଇ ଲାଇବ୍ରେରୀ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ ।
ହିଞ୍ଜିଳି ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଗଞ୍ଜାମ ଦର୍ଶନ ବସ୍ ର ଶୁଭ ଯାତ୍ରା ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗଞ୍ଜାମ ଯାଇଥିଲେ।




admin 