୧୯ରେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ
୧୯ରେ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ
ନ୍ୟୁୟର୍କ: ଚଳିତ ମାସ ୧୯ ତାରିଖରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯାଉଛି । ତେବେ ଏହା ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି। ଏହା ୩ ଘଣ୍ଟା ୨୮ ମିନିଟ ପର୍ୟ୍ୟନ୍ତ ରହିବ । ୨୦୨୧ରୁ ୨୦୩୦ ମଧ୍ୟରେ ଆଂଶିକ ଏବଂ ପୂର୍ଣ୍ଣଗ୍ରାସ ମୋଟ ୨୦ଟି ସୂର୍ୟ୍ୟପରାଗ ତଥା ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ବୋଲି ସେମାନେ କହିଛନ୍ତି । ୧୯ ତାରିଖରେ ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକାକୁ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ କୁହାଯାଇଛି ।
ନାସା କହିଛି ଯେ ୩ ଘଣ୍ଟା ୨୮ ମିନିଟ ପାଇଁ ଏହି ଚନ୍ଦ୍ରଗ୍ରହଣ ପରିଦୃଶ୍ୟ ହେବ ଏବଂ ସେହି ସମୟରେ ଚନ୍ଦ୍ରର ୯୭% ଲାଲ ଦେଖାଯିବ । ୨୦୦୧ରୁ ୨୦୨୧ ମଧ୍ୟରେ ଯେତେ ସଂଖ୍ୟାରେ ଚନ୍ଦ୍ରଗ୍ରହଣ ହୋଇଛି, ଏହା ସର୍ବାପେକ୍ଷା ଦୀର୍ଘତମ ହେବ । ଏହା ଭାରତୀୟ ସମୟ ରାତି ୧.୩୦ ଆରମ୍ଭ ହେବ ବୋଲି ନାସା କହିଛି । ତେବେ ଭିନ୍ନ ଭିନ୍ନ ସ୍ଥାନୀୟ ସମୟରେ ବିଶ୍ୱବାସୀ ଏହି ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇବେ । ଏହା ଦକ୍ଷିଣ ଆମେରିକା, ପୂର୍ବ ଏସିଆ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଅଷ୍ଟ୍ରେଲିଆ ଆଦି ସ୍ଥାନରେ ଦୃଶ୍ୟମାନ ହେବ। ଯେଉଁମାନେ ନିଜ ଘରେ ଏହି ମହାଜାଗତିକ ଦୃଶ୍ୟ ଦେଖିପାରିବେ ନାହିଁ ସେମାନେ ଏହାକୁ ନାସାର ସିଧା ପ୍ରସାରଣ ଜରିଆରେ ମଧ୍ୟ ଦେଖିପାରିବେ।




admin 