୨୦୨୩ରେ ୨ୟଥର ଲାଗି ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ୱକପ
୨୦୨୩ରେ ୨ୟଥର ଲାଗି ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ୱକପ
admin
Nov 28, 2019 - 05:04
Updated: Nov 28, 2019 - 05:04
ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଦେଶର ହକି ହବ୍ ଭାବେ ପରିଚିତ ଓଡ଼ିଶା ପାଇଁ ଆଉ ଏକ ବଡ଼ ଖବର। କାରଣ ୨୦୨୩ ପୁରୁଷ ହକି ବିଶ୍ବକପ୍ର ଆୟୋଜନ ଦାୟିତ୍ବ ପୁଣିଥରେ ଓଡ଼ିଶାକୁ ମିଳିଛି। ଆଜି ଏନେଇ ଘୋଷଣା କରିଛି ହକି ଇଣ୍ଡିଆ। ୨୦୧୮ ବିଶ୍ୱକପର ବିପୁଳ ସଫଳତାକୁ ଦୃଷ୍ଟିରେ ରଖି ବୁଧବାର ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଏହି ବଡ଼ ଘୋଷଣା କରିଛନ୍ତି।
ତେବେ ୨୦୨୩ରେ ହେବାକୁଥିବା ବିଶ୍ୱକପ୍ କେବଳ ଭୁବନେଶ୍ୱରରେ ଖେଳାଯିବ ନାହିଁ। ବିଶ୍ୱକପର କିଛି ମ୍ୟାଚ୍ ହକି ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଆୟୋଜିତ ହେବ। ତେବେ ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟରେ ଖୁସିର ଲହରି ଖେଳିଯାଇଛି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା, ପାଇଭ୍-ଟି ସଚିନ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।