ଆସୁନି ମୌସୁମୀ, କଲବଲ କରୁଛି ଗୁଳୁଗୁଳି

ଆସୁନି ମୌସୁମୀ, କଲବଲ କରୁଛି ଗୁଳୁଗୁଳି

ଆସୁନି ମୌସୁମୀ, କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର: କେରଳରେ ଆଗରୁ ପହଞ୍ଚିଥିବା ମୌସୁମୀର ଗତି ଏବେ ମନ୍ଥର ରହିଛି । ପ୍ରାକ୍‌ ମୌସୁମୀ ବର୍ଷାର ବି ଦେଖା ନାହିଁ।  ନିମ୍ନ ଚାପରେଖା ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତରପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ପୂର୍ବ ଉତ୍ତର ପ୍ରଦେଶର ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ ପର୍ୟ୍ୟନ୍ତ ସୃଷ୍ଟି ହୋଇଛି । ଛତିଶଗଡ଼ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏହାର ପ୍ରଭାବ ରହିଛି । ସେହିପରି ପୂର୍ବ ଓ ପଶ୍ଚିମ ନିମ୍ନଚାପରେଖା ଉତ୍ତର ପ୍ରଦେଶରୁ ନାଗାଲାଣ୍ଡ ପର୍ୟ୍ୟନ୍ତ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି କରିଛି । ଜୁନର ୩ ଦିନ ଅତିକ୍ରମ କରିଥିଲେ ମଧ୍ୟ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍ ରହୁଥିଲେ ବି ଗୁଳୁଗୁଳି ଅସହ୍ୟ ହୋଇଛି ।

ଆସନ୍ତା ୪ରୁ ୫ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ଟିଟିଲାଗଡ଼ରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୪୫ ଡ଼ିଗ୍ରୀ ଛୁଇଁଛି । ସେହିପରି ଅନ୍ୟ ୫ଟି ସହରର ତାପମାତ୍ରା ୪୪ଡ଼ିଗ୍ରୀ ଉପରେ ରେକଡର଼୍ କରାଯାଇଛି । ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ବଲପୁର ୪୪.୪, ସୁବର୍ଣ୍ଣପୁର ୪୪.୩, ଝାରସୁଗୁଡ଼ା ୪୪.୨ଡ଼ିଗ୍ରୀ ରହିଛି ।

ଏଣେ ମୌସୁମୀ ନ ଆସିବା ପର୍ୟ୍ୟନ୍ତ ଗରମ ଓ ଗୁଳୁଗୁଳି ଏପରି କଲବଲ କରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ରାଜ୍ୟରେ କାଳବୈଶାଖୀର ପ୍ରଭାବ ଆସନ୍ତା ୮ତାରିଖ ପର୍ୟ୍ୟନ୍ତ ରହିପାରେ । ଏହାର ପ୍ରଭାବରେ କେତେକ ସ୍ଥାନରେ ଘଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି ।