ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି
ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି
ଅହମ୍ମଦାବାଦ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ଇସ୍ତଫା ଦେଇଛନ୍ତି। ପାର୍ଟି ହାଇକମାଣ୍ଡଙ୍କ ସଂକତେ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟି ଭିତରେ କୌଣସି ମତଭେଦ ନାହିଁ। ପରବର୍ତ୍ତୀ ସମୟରେ ପାର୍ଟି ପକ୍ଷରୁ ତାଙ୍କୁ ଯେଉଁ ଦାୟିତ୍ବ ଦିଆଯିବ ସେ ନିଷ୍ଠାର ସହିତ ପାଳନ କରିବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳ ଗ୍ରହଣ କରିନେବା ପରେ ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ବ ଦେଇଛନ୍ତି ସେ ନିଷ୍ଠାର ସହିତ ପାଳନ କରିଛନ୍ତି। ଏବେ ପାର୍ଟି ପକ୍ଷରୁ ଯାହା ଦାୟିତ୍ବ ଦିଆଯିବ ତାହାକୁ ମଧ୍ୟ ସେ ପାଳନ କରିବେ। ପାର୍ଟି ମଧ୍ୟରେ କୌଣସି ମତଭେଦ ନାଥିବା ସେ କହିଛନ୍ତି। ତେବେ ତାଙ୍କର ଏପରି ହଠାତ ଇସ୍ତଫା ଦେବାକୁ ନେଇ ରାଜନୈତିକ ମହଲରେ ଚଳଚଞ୍ଚଳ ହୋଇ ପଡ଼ିଛି। ଆଜି ଅପରାହ୍ଣରେ ସେ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ୍ ଏବଂ ଅନ୍ୟ ମନ୍ତ୍ରୀଙ୍କ ସହିତ ସେ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ। ପାର୍ଟି ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଇ ନଥିବା ବେଳେ ତାଙ୍କର ଏପରି ଇସ୍ତଫାକୁ ନେଇ ଭିନ୍ନ ଆଲୋଚନା ହେଉଛି। ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ବ ଦେଇ ଦଳକୁ ମଜଭୁତ କରିବାକୁ ଉଦ୍ୟମ କରାଯାଉଥିବା ସୂଚନା ମିଳିଛି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଅନ୍ୟପକ୍ଷରେ ଗତ ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ବରେ ଲଢ଼ାଯାଇଥିଲା। ସେତେବେଳେ ପାର୍ଟିକୁ ଆଶାଜନକ ସଫଳତା ମିଳି ନଥିଲା। ଫଳରେ ଦଳ ଭିତରେ ଅସନ୍ତୋଷ ରହିଥିଲା। ଏହି କାରଣରୁ ହୁଏତ ପାର୍ଟି ହାଇକମାଣ୍ଡଙ୍କ ନିର୍ଦେଶ ପରେ ସେ ଇସ୍ତଫା ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।




admin 