ମିଳିଲା କାଳିଆ ଟଙ୍କା

ମିଳିଲା କାଳିଆ ଟଙ୍କା

ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି ।

 ପବିତ୍ର ନୂଆଖାଇ ଅବସରରେ ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି  ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା, ସାରା ରାଜ୍ୟର ସମସ୍ୟା ।ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏମସପି ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି ।

 ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ, ନୂଆଖାଇ ହେଉଛି ମାଟି ମା'ର ପର୍ବ । ଆଉ କୃଷକମାନେ ହେଉଛନ୍ତି ମାଟି ମା'ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।