ଏଥର ଖଣ୍ଡଗିରି ମେଳାରେ ହେବ ନାହିଁ ଅପେରା
ଏଥର ଖଣ୍ଡଗିରି ମେଳାରେ ହେବ ନାହିଁ ଅପେରା
admin
Feb 5, 2021 - 07:08
Updated: Feb 5, 2021 - 07:08
ଭୁବନେଶ୍ୱର: ଖଣ୍ଡଗିରି ମେଳା ଆସିଲେ ଯାତ୍ରା ପେଣ୍ଡାଲକୁ ନେଇ ବେଶ ଚର୍ଚ୍ଚା ହୋଇଥାଏ । ରାଜ୍ୟର ସବୁ ଆଗଧାଡିର ଯାତ୍ରା ଅନୁଷ୍ଠାନ ଗୁଡିକ ଖଣ୍ଡଗିରି ମେଳାରେ ହିଁ ନିଜର ସୁପରହିଟ ନାଟକ ପରିବେଷଣ କରି ପ୍ରଶଂସା ସାଉଁଟିଥାନ୍ତି । ଗାଏକୋଟ କହିଲେ ଏଠାରେ ଯାତ୍ରା ଦଳ ମଧ୍ୟରେ ଦମଦାର ପ୍ରତିଯୋଗିତା ହୋଇଥାଏ କିନ୍ତୁ ଚଳିତ ବର୍ଷ ଯାତ୍ରା ହେବ କି ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଛି । ଗୋଟିଏପଟେ ୫୦୦ ଦର୍ଶକ ଯାତ୍ରା ଦେଖିବା ପାଇଁ ବିଏମସି ଅନୁମତି ଦେଇଥିବାବେଳେ ଅପରପକ୍ଷରେ ଅତିକମରେ ୨୦୦୦ ଦର୍ଶକଙ୍କୁ ଅନୁମତି ପାଇଁ ଯାତ୍ରା କମିଟି ଗୁଡିକ ଦାବି କରିଛନ୍ତି । ଯାହାକୁ ନେଇ ଜାରି ରହିଛି ଛକାପଞ୍ଝା ।
ଖଣ୍ଡଗିରି ମାଘ ମେଳା ହେବ କି ନା? ଯଦି ହେବ ତା’ ହେଲେ କେମିତି ହେବ । ଅପେରାକୁ ନେଇ ଆଭିମୁଖ୍ୟ କ’ଣ ? ମେଳାରେ ଷ୍ଟଳ ପଡିବ ନା ନାହିଁ । ଏହାକୁ ନେଇ ବିଏମସି କମିଶନରଙ୍କ ଉଦେ୍ଧଶ୍ୟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିଛି ମେଳା କମିଟି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଖଣ୍ଡଗିରିରେ ଅପେରା ନ କରିବାକୁ ଆପାତତଃ ନିଷ୍ପତି ହୋଇଛି । କମିଟି ମଧ୍ୟ ଏହାକୁ ଏକପ୍ରକାର ମାନି ନେଇଥିବା ପ୍ରସ୍ତାବରୁ ଆଭାସ ମିଳିଛି ।
ମେଳା କମିଟି ପକ୍ଷରୁ ବିଏମସି କମିଶନରଙ୍କ ଉଦେ୍ଧଶ୍ୟରେ ୪ ପୃଷ୍ଠାର ପ୍ରସ୍ତାବ ଦାଖଲ କରାଯାଇଛି । ଏଥିରେ ପ୍ରଚଳିତ ନୀତିକାନ୍ତି ସହକାରେ ମେଳା କରିବାକୁ କୁହାଯାଇଛି । ତେବେ କଟକଣାକୁ କୋହଳ କରି ଦୋକାନ ଷ୍ଟଲ ପକାଇବାକୁ ଅନୁମତି ଦେବାକୁ ବିଏମସିକୁ ପ୍ରସ୍ତାବ ଦିଆଯାଇଛି । କୋଭିଡ ପାଇଁ ଗୋଟିଏ ସ୍ଥାନରେ ସର୍ବାଧିକ ୫୦୦ ଲୋକ ଏକାଠି ହୋଇପାରିବେ ବୋଲି ଏବେ ନିୟମ କରାଯାଇଛି । ତେବେ ଥିଏଟର ବା ମଂଚରେ ଦୁଇ ସିଟ ମଝିରେ ଗୋଟିଏ ସିଟ ଛାଡିବାକୁ ନିଦେ୍ର୍ଧଶ ରହିଛି । ଏଭଳି ନିୟମ ପାଳନ କରି ଯାତ୍ରା କରିବା ଆଦୌ ସମ୍ଭବ ନୁହେଁ । ନିୟମ ପାଳନ କରି ଅପେରା ଆୟୋଜନ କଲେ ଆର୍ଥôକ ଦୃଷ୍ଟିରୁ ମାଲିକମାନେ ବହୁ କ୍ଷତି ସହିବେ । ଏଥିପାଇଁ ସେମାନେ ନିଜ ଆଡୁ ଯାତ୍ରା କରିବା ପ୍ରସ୍ତାବରୁ ଓହରି ଯାଇଥିବା ସୂଚନା ମିଳିଛି । ସାଧାରଣ ପ୍ରଶାସନ ବିଭାଗ ଯାତ୍ରା ପାଇଁ ଚୂଡାନ୍ତ ଅନୁମତି ଦେବ ବୋଲି କହି ବିଏମସି ଏହାକୁ ଏକପ୍ରକାର ଏଡାଇ ଯାଇଛି । କିନ୍ତୁ ଅପେରା ହେବନି ବୋଲି ଆଭାସ ମିଳିସାରିଲାଣି ।