ଖଣ୍ଡଗିରି ମେଳା : ଡରାଉଛି ବିଏମସି

ଖଣ୍ଡଗିରି ମେଳା : ଡରାଉଛି ବିଏମସି

ଖଣ୍ଡଗିରି ମେଳା : ଡରାଉଛି ବିଏମସି

ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଖଣ୍ଡଗିରି ମେଳା ଓ ୩୦ରେ ଯାତ୍ରା ଆରମ୍ଭ ହେବ । ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ଯାତ୍ରା ଦଳ । କିଏ କେଉଁ ନାଟକ ପରିବେଷଣ କରିବେ, ତାହାର ତାଲିକା ଶେଷ ହେଲାଣି ।  କିନ୍ତୁ ବିଏମସିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଏବେ ଦ୍ୱନ୍ଦ ସୃଷ୍ଟି କରିଛି । ପ୍ରଚଳିତ କୋଭିଡ୍‌ କଟକଣା ମଧ୍ୟରେ ଯାତ୍ରା ପରିବେଷଣ କରିବାକୁ କୁହାଯାଇଛି । ଗୋଟିଏପଟେ ରାଜ୍ୟ ସରକାର ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍‌ କଟକଣା ହଟାଇଛନ୍ତି । ସାମାଜିକ ଦୂରତା, ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର  ପରି ନିୟମ ହଟିଛି । ରାଜ୍ୟରେ ଏବେ କୌଣସି କୋଭିଡ୍‌ କଟକଣା ପ୍ରଚଳିତ ନଥିଲା ବେଳେ ବିଏମସି ପକ୍ଷରୁ ଜାରି ଏସଓପିରେ କେଉଁ ପ୍ରଚଳିତ କୋଭିଡ କଟକଣା ବିଷୟରେ କୁହାଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ଅନ୍ୟପଟେ ସହରବାସୀଙ୍କ କହିବା କଥା ହେଉଛି, ରାଜଧାନୀର ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ଭାବେ ଚାଲୁଛି । ହକି ଖେଳରେ ୨୦ହଜାରରୁ ଅଧିକ ଲୋକ ଏକାଠି ହୋଇ ଖେଳ ଦେଖୁଛନ୍ତି । ଡଟ୍‌ ଫେଷ୍ଟରେ ଗହଳି ନ କହିବା ଭଲ । କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା କେହି ମାନୁ ନାହାନ୍ତି । ଆନ୍ତର୍ଜାତୀୟ ଖାଦ୍ୟ ମେଳାରେ ତ ପାଦ ପକାଇବାକୁ ଜାଗା ନାହିଁ । ପଥ ଉତ୍ସବ କରାଯାଇ ସହରବାସୀଙ୍କ ଲାଗି ସାହାଣମେଳା କରାଯାଇଥିଲା । ଖୋଦ ଭୁବନେଶ୍ୱର ବିୀଧାୟକ, ମେୟର, କର୍ପୋରେଟରମାନେ ବିନା ମାସ୍କରେ ସେଠାରେ ଯୋଗ ଦେଉଛନ୍ତି । ଏଭଳି ସମୟରେ ଖଣ୍ଡଗିରି ମେଳାରେ କୋଭିଡ୍‌ କଟକଣା ଲଗାଇବା ପରି ଚିନ୍ତାଧାରା ବିଏମସି କର୍ତ୍ତୃପକ୍ଷଙ୍କ ମୁଣ୍ଡରେ କିପରି ପଶିଲା ତାହା ବୁଝା ପଡୁନାହିଁ । ପୁଣି ପ୍ରଚଳିତ କୋଭିଡ୍‌ କଟକଣାର ମାନେ କ’ଣ ତାହ ବି ଦ୍ୱନ୍ଦ ସୃଷ୍ଟି କରୁଛି ବୋଲି ସହରବାସୀ କହିଛନ୍ତି ।