ଗ୍ରେନେଡ ଫାଟି ୨ ସହିଦ
ଗ୍ରେନେଡ ଫାଟି ୨ ସହିଦ
ଜମ୍ମୁ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ନିକଟ ଏଲଓସିରେ ବଡ଼ ଅଘଟଣ ଘଟିଛି। ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ହେବାରୁ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଛନ୍ତି। ସେହିପରି ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳୁ ସେନା ପକ୍ଷରୁ ସୂଚନା ଦିଆଯାଇଛି।
ସ୍ଥଳ ସେନାର ଜଣେ ମୁଖପାତ୍ର କହିଛନ୍ତି, ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା। ରବିବାର ରାତିରେ ମେନ୍ଧର ସେକ୍ଟର ଏଲଓସିରେ ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କ୍ୟାପ୍ଟେନ ଓ ଆଉ ଜଣେ ଜେସିଓଙ୍କ ମୃତ୍ୟୁ ଘଟିଛି। ଏବେ ବାକି ୪ ଜଣ ଯବାନଙ୍କ ଚିକିତ୍ସା ଚାଲିଛି। ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଛି। ସେହିପରି କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା, ତା’ର ମଧ୍ୟ ତଦନ୍ତ କରାଯାଉଥିବା ମୁଖପାତ୍ର ଜଣଙ୍କ ସୂଚନା ଦେଇଛନ୍ତି।




admin 