‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ
ଭୁବନେଶ୍ୱର: ଅଶ୍ୱିନୀ ତ୍ରିପାଠୀ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସହରାଞ୍ଚଳର ଦୈନନ୍ଦିନ ଜୀବନରେ ‘ଡେଲିଭରୀ ବୟ’ ମାନଙ୍କ ଭୂମିକା ଅପରିହାର୍ୟ୍ୟ ହୋଇଯାଇଛି । ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ‘ଡେଲିଭରୀ ବୟ’ ମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ । ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜାବନ ଉପରେ ଆଧାରିତ। ଓଡିଆ ଭାଷାରେ ନିର୍ମିତ ଏହି ଫିଲ୍ମଟିରେ ଜଣେ ଡେଲିଭରୀ ବୟ କିପରି ସଡକ ଦୁର୍ଘଟଣାର ଶିକାର ହୋଇ ନିଜ ସହକର୍ମୀମାନଙ୍କ ସହଯୋଗରେ ନ୍ୟାୟ ପାଇଁ ସଂଘର୍ଷକରି ବିଜୟୀ ହୋଇଛନ୍ତି ତାହା ଖୁବ ନିଖୁଣଭାବରେ ପ୍ରଦର୍ଶିତ ହୋଇଛି । ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଚଳଚ୍ଚିତ୍ରଟିରେ ଉଦ୍ୟମ କରାଯାଇଛି । ଏଥିରେ ସମାଜର ସବୁ ଶ୍ରେଣୀର ଦର୍ଶକଙ୍କଉପରେ ସକାରାତ୍ମକ ପ୍ରଭାବ ପଡିବାର ଆଶା ରହିଛି ।




admin 