ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

ନାଗାବଳୀ ନଦୀ ଝୁଲାପୋଲ ବନ୍ଦ

 

ରାୟଗଡ଼ା : ପର୍ୟ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ବନ୍ଦ ହେଲା ନାଗାବଳୀ ନଦୀ ଝୁଲାପୋଲ । ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀ ଅବବାହିକାରେ ଥିବା ଝୁଲାପୋଲ ଡେଥ୍ ଜୋନ୍ ପାଲଟି ସାରିଛି । ଏଠାକୁ ବୁଲିବାକୁ ଆସି ବହୁ ପର୍ୟ୍ୟଟକ ଅକାଳରେ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ଏହି ପୋଲକୁ  ବନ୍ଦ କରି ଦିଆଯାଇଛି।  ପୋଲର ଉଭୟ ପଟୁ ବ୍ୟାରିକେଡ କରାଯାଇଛି ।

  ମାତ୍ର ୧୧ ବର୍ଷର ଏହି ପୋଲରେ ଏ ଯାବତ ୩୫ ଜଣଙ୍କ ଜୀବନ ଗଲାଣି। ଯାହାକୁ କି ଗୁରୁତର ସହ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏହାବାଦ ଆଗକୁ ପର୍ୟ୍ୟଟନ ଋତୁ ଆସୁଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ୟ୍ୟଟକଙ୍କ ଭିଡ଼ ଜମିବା ଅନୁମାନ କରାଯାଉଛି। ତେଣୁ ତାହା ପୂର୍ବରୁ ଏହି ପୋଲଟିକୁ ବନ୍ଦ କରି ଦିଆଯାଇଛି। 

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଝୁଲାପୋଲ ବୁଲି ଆସି ନାଗାବଳୀ ନଦୀରେ ଆନ୍ଧ୍ରର ଜଣେ ବ୍ୟକ୍ତି ନିଜ ୩ ପୁଅଙ୍କ ସହ ଗାଧୋଉଥିଲେ। ପାଣିର ପ୍ରଖର ସ୍ରୋତରେ ବାପା ଆଖି ଆଗରେ ୩ ପୁଅ ଭାସି ଯାଇଥିଲେ। ଏହାପରେ ନିଜ ଜୀବନକୁ ବାଜି ଲଗାଇ ବ୍ୟକ୍ତିଜଣକ ୨ ପୁଅଙ୍କୁ କୂଳକୁ ଆଣିଥିବା ବେଳେ ସାନ ପୁଅ କିନ୍ତୁ ପାଣିରେ ଭାସି ଯାଇଥିଲା।

ନାଗାବଳୀ ନଦୀର ଚତୁଃପାର୍ଶ୍ୱରେ ଥିବା ଅପରୂପ ସୌନ୍ଦର୍ୟ୍ୟ ଉପଭୋଗ କରିବାକୁ ଏହି ଝୁଲା ପୋଲକୁ ବିଭିନ୍ନ ସ୍ଥାନରୁ ପର୍ୟ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କିଏ ବିପଦସଙ୍କୁଳ ଭାବେ ସେଲଫି ଉଠାଇ ମୃତ୍ୟୁମୁଖରେ ପଡ଼ୁଛି ତେବେଳେ ପାଣିକୁ ଗାଧୋଇବାକୁ ଯାଇ ପ୍ରଖର ସ୍ରୋତରେ ଭାସି ଯାଉଛି। ତେଣୁ  ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ ରଖାଯାଇଛି।