ନିର୍ବାଚନ ପୂର୍ବରୁ ବିରାଟ ପୂଜାର ଆୟୋଜନ କଲେ ମମତା
ନିର୍ବାଚନ ପୂର୍ବରୁ ବିରାଟ ପୂଜାର ଆୟୋଜନ କଲେ ମମତା
admin
Feb 27, 2021 - 08:04
Updated: Feb 27, 2021 - 08:04
ପୁରୀ: ନିର୍ବାଚନ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କାଳୀଘାଟ ସ୍ଥିତ ବାସଭବନରେ ବିରାଟ ପୂଜାର ଆୟୋଜନ କରିଛନ୍ତି । ଯେଉଁଥିରେ ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ୱାଇଁ ଦାସ ମହାପାତ୍ର (ଜଗୁନି) ଯୋଗ ଦେବା ସହ ପୂଜାକାର୍ଯ୍ୟର ସମସ୍ତ ଦାୟିତ୍ୱ ତୁଲାଇଛନ୍ତି । ଶ୍ରୀ ଦାସ ମହାପାତ୍ରଙ୍କ ନେତୃତ୍ୱରେ ପୁରୀରୁ ଯାଇଥିବା ୭ ଜଣ ବ୍ରାହ୍ମଣ ଏହି ପୂଜାକାର୍ଯ୍ୟ ସମ୍ପନ୍ନ କରିଛନ୍ତି । ମମତାଙ୍କ କାଳୀଘାଟସ୍ଥିତ ବାସଭବନରେ ୧୦ ଘଣ୍ଟା ଧରି ଏହି ପୂଜା ଚାଲିଥିଲା । ସନ୍ଧ୍ୟାରେ ପୂଜା ସମ୍ପନ୍ନ ହୋଇଛି । ଆଜି ପୁରୀ ଫେରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଶ୍ରୀ ଦାସ ମହାପାତ୍ର । ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ହେଉଛନ୍ତି ତାଙ୍କ ଶିଷ୍ୟ । କିଛି ଦିନ ପୂର୍ବରୁ ଏହି ପୂଜା ପାଇଁ ସେ ମମତାଙ୍କ ନିମନ୍ତ୍ରଣ ପାଇଥିଲେ । କୋଭିଡ ଭିତରେ ପଶ୍ଚିମବଙ୍ଗକୁ ଯିବାକୁ ପରିବାର ଲୋକ ବାରଣ କରୁଥିଲେ ବି ସେ ମମତାଙ୍କ କଥା ଭାଙ୍ଗି ପାରିନଥିଲେ । ପଶ୍ଚିମବଙ୍ଗରୁ ତିନୋଟି ଗାଡ଼ି ଆସି ପହଞ୍ଚିବା ପରେ ସେ ପଶ୍ଚିମବଙ୍ଗ ବାହାରିଥିଲେ । ତାଙ୍କ ସହ ପୁଅ ରାଜା, ପୁରୀରୁ ୭ ଜଣ ବ୍ରାହ୍ମଣ ଓ ଅନ୍ୟ ସେବାୟତମାନେ ବି ପଶ୍ଚିମବଙ୍ଗ ଆସିଛନ୍ତି । ସକାଳ ୭ଟାରୁ ପୂଜା ଆରମ୍ଭ ହୋଇଥିଲା । ବାସଭବନ ପରିସରରେ ମହାଯଜ୍ଞର ଆୟୋଜନ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାପାଠ କରାଯାଇଥିଲା । ନିଜେ ମମତା ବି ଏହି ପୂଜାରେ ବସିଥିଲେ । ସନ୍ଧ୍ୟାରେ ପୂଜା ଶେଷ ପରେ ସେ ଓ ତାଙ୍କ ସହ ଯାଇଥିବା ଅନ୍ୟମାନେ କୋଲକତାରେ ଥିବା ତାଙ୍କ ଆଶ୍ରମରେ ରହିଛନ୍ତି । କୋଲକତାର ଭକ୍ତ ପ୍ରଭୁଦତ୍ତ କାଞ୍ଜିଲାଲ ତାଙ୍କୁ ଏହି ଆଶ୍ରମ ଦେଇଛନ୍ତି । ଦେଶର କୋଣ ଅନୁକୋଣରୁ ଲୋକେ ଏହି ଆଶ୍ରମକୁ ଆସିଥାନ୍ତି । ଏଠାରେ ଦୈନିକ ଦେଢ଼ ଶହରୁ ୩ ଶହ ଲୋକ ପ୍ରସାଦ ସେବନ କରୁଛନ୍ତି ।