ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କ ମୃତ୍ୟୁ: ୟୁକ୍ରେନ୍
ଯୁଦ୍ଧର ପ୍ରଥମ ଦିନରେ ୧୩୭ ଜଣଙ୍କ ମୃତ୍ୟୁ: ୟୁକ୍ରେନ୍
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଦୁଇଦିନ ହେଲା ଲଢ଼େଇଥ ଜାରି ରହିଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ପ୍ରଥମ ଦିନ ରୁଷ କରିଥିବା ହମଲାରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଥିବା ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି କହିଛନ୍ତି। ସେ କହିଛନ୍ତି, ରୁଷ କରିଥିବା ଆକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ୧୩୭ ଜଣ ସାଧାରଣ ଲୋକ ଓ ଯବାନଙ୍କୁ ହରାଇଛି। ଏହି ମୃତକମାନଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଜେଲେନସ୍କି ହିରୋର ଆଖ୍ୟା ଦେଇଛନ୍ତି। ଏଥିସହ ରୁଷ ସହ ଲଢ଼େରେ ଶତାଧିକ ଯବାନ ଓ ସାଧାରଣ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
ଜେଲେନସ୍କି କହିଛନ୍ତି, ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି। ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି। ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି।
ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ। ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରାଯାଇଛି। ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ। ଆଗକୁ ବି ଲଢ଼େଇ ଜାରି ରହିବ। ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି।
ଅନ୍ୟପକ୍ଷରେ ରୁଷ ସୈନ୍ୟ ରାଜଧାନୀ କିଭ୍ ନିକଟରେ ପହଞ୍ଚି ଯାଇଛନ୍ତି। ଏହାକୁ ସେମାନେ କୌଣସି ବି ମୁହୂର୍ତ୍ତରେ ଦଖଲ କରିପାରନ୍ତି। ସେହିପରି କିଭ୍ ଉପରେ ରୁଷ ଏୟାର ଷ୍ଟ୍ରାଇକ କରିଥିବା ମଧ୍ୟ ଖବର ମିଳିଛି। ଏହାବାଦ ରୁଷ ଯବାନମାନେ ୟୁକ୍ରେନର ଶତାଧିକ ସୈନ୍ୟଙ୍କୁ ବନ୍ଧକ ରଖିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ସୈନ୍ୟ ବି ରହିଛନ୍ତି।




admin 