ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମ୍ପର୍କରେ ଏହା କହିଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମ୍ପର୍କରେ ଏହା କହିଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ପରିକ୍ରମା ଯୋଜନା ସମ୍ପର୍କରେ ଏହା କହିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ ହେଉଛନ୍ତି ଶ୍ରୀଜଗନ୍ନାଥ । ଆମ ଇତିହାସ, ସଂସ୍କୃତି, ପରମ୍ପରା ଓ ଆମ ବିଶ୍ୱାସ ସବୁ କିଛି ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି । ସେ ହେଉଛନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ । ଆମର ସୌଭାଗ୍ୟ ଯେ ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଶ୍ରୀମନ୍ଦିର ଆସୁଥିବା ସବୁ ଭକ୍ତ/ତଥା ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା ଥାଏ ଯେ ସେମାନେ କିପରି ଏକ ଶାନ୍ତ, ସୁନ୍ଦର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଜଗନ୍ନାଥ ମନ୍ଦିରକୁ ଜୀବନ କାଳ ମଧ୍ୟରେ ଥରୁଟିଏ ଆସିବା ଏବଂ ମହାପ୍ରଭୁଙ୍କ ଟିକିଏ ଝଲକ ପାଇବା ହେଉଛି ଲକ୍ଷ ଲକ୍ଷ ଭକ୍ତଙ୍କର ଜୀବନର ଏକମାତ୍ର ପ୍ରାର୍ଥନା । ସବୁ ଭକ୍ତ ଯେଭଳି ଏକ ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ସମସ୍ତଙ୍କର ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ ଯେତେବେଳେ ଜଷ୍ଟିସ ବି.ପି ଦାସ କମିଟି ଶ୍ରୀମନ୍ଦିର ନିରାପତ୍ତା କରିଡର ପାଇଁ ସୁପାରିସ କଲେ, ସେତେବେଳେ ତିନୋଟି ଲକ୍ଷ୍ୟ ନେଇ ଶ୍ରୀମନ୍ଦିର ପରିକ୍ରମା ଯୋଜନା ବିଷୟ ଚିନ୍ତା କରାଯାଇଥିଲା । ସେଗୁଡ଼ିକ ହେଲା: ୧. ଶ୍ରୀମନ୍ଦିରର ନିରାପତ୍ତା ୨. ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ୩. ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ଗଜପତି ମହାରାଜାଙ୍କ ନେତୃତ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଭିନ୍ନ ଷ୍ଟେକ ହୋଲଡର ମାନଙ୍କ ସହିତ ବହୁବାର ଆଲୋଚନା ପରେ ଶ୍ରୀମନ୍ଦିର ପରିକ୍ରମା /ଶ୍ରୀମନ୍ଦିର ପରିକ୍ରମା ପ୍ଲାନ ପ୍ରସ୍ତୁତ କରିଛି । ଏହି ମହାନ କାର୍ଯ୍ୟ ପାଇଁ ମୁଁ ଗଜପତି ମହାରାଜାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ସେହିପରି ଏହି ଯୋଜନାକୁ ଆଗେଇ ନେବା ପାଇଁ ଆମର ସେବାୟତ ବନ୍ଧୁ ତଥା ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଧନ୍ୟବାଦ ଜଣାଇବାକୁ ଚାହେଁ ପଦ୍ମ ବିଭୂଷଣ ଶ୍ରୀ ରଘୁନାଥ ମହାପାତ୍ରଙ୍କୁ, ଡ.ସୁବାସ ପାଣିଙ୍କୁ ଏବଂ ଆହୁରି ଅକେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯେଉଁମାନେ କି ଏହି ମହାନ କାର୍ଯ୍ୟରେ ସେମାଙ୍କର ଅବଦାନ ରଖି ଆମକୁ ଉତ୍ସାହିତ କରିଛନ୍ତି । ଯେହେତୁ ସମସ୍ତଙ୍କ ନାଁ ନେବା ଏଠାରେ ସମ୍ଭବ ହେଉନାହିଁ, ତେଣୁ ଏହି ଯୋଜନା ପ୍ରସ୍ତୁତିରେ ସହାୟତା କରିଥିବା ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସାଧାରଣ ଭାବେ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଇଥାନ୍ତି । ମୁଁ ଦୃଢ଼ ବିଶ୍ୱାସ କରେ ଯେ ଏହି ଯୋଜନା କେବଳ ସରକାରଙ୍କର ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ନୁହେଁ । ଏ ଯୋଜନା ହେଉଛି ସାଢେ଼ ଚାରିକୋଟି ଓଡ଼ିଶାବାସୀଙ୍କର ନିଜ ଯୋଜନା ଏବଂ ଏହି ପବିତ୍ର ଗୃହ ସାଢେ଼ ଚାରିକୋଟ ଓଡ଼ିଆଙ୍କର ପ୍ରତିନିଧିତ୍ୱ କରୁଛି । ତେଣୁ ଆପଣମାନଙ୍କ ଜରିଆରେ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଶ୍ରୀମନ୍ଦିର କରିଡର ପ୍ଲାନ ପ୍ରେଜେଣ୍ଟ କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ଏହା ହେଉଛି ଓଡ଼ିଶା ଜାତି ପାଇଁ ତଥା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏଭଳି ସୁଯୋଗ ବହୁତ କମ ଆସେ । ପୁରୁଷ ପୁରୁଷ ପରେ, ବହୁ ଯୁଗ ପରେ ଏଭଳି ମୁହୂର୍ତ୍ତ ଆସେ । ଆମେ ସମସ୍ତେ, ସାରା ଓଡ଼ିଶାବାସୀ ମିଳିତ ଭାବରେ ଆଜି ଏହି ଅନନ୍ୟ ମୁହୂର୍ତ୍ତର ଅଂଶ ପାଲଟି ଯାଇଛେ । ଶ୍ରୀମନ୍ଦିର ହେଉଛି ଆମର ଆଧ୍ୟାତ୍ମିକ ଐତିହ୍ୟର କେନ୍ଦ୍ର ଯାହାକି ପୁରୁଷ ପୁରୁଷ ଧରି ଉତ୍ତରାଧିକାରୀ ସୂତ୍ରରେ ଆମେ ପାଇଛେ । ଏହି ଅମୂଲ୍ୟ ସମ୍ପଦକୁ ଆମେ ଉତ୍ତରାଧିକାରୀ ସୂତ୍ରରେ ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ସାଇତି ରଖିଛୁ । ଏହି ସ୍ପିରିଟ ନେଇ ଆମକୁ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ଦେଖିବାକୁ ହେବ ଏବଂ ମିଳିତ ଭାବରେ କାମ କରି ତାକୁ ସାକାର କରିବାକୁ ହେବ । ଏହି ପରିପ୍ରେକ୍ଷୀରେ ମୁଁ ତିନୋଟି ପ୍ରସ୍ତାବ ଆପଣମାନଙ୍କ ବିଚାର ପାଇଁ ରଖୁଛି: ୧. ମହାପ୍ରଭୁଙ୍କର ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ସମସ୍ତେ ସଂକଳ୍ପ ନେଇ କାମ କରିବା ଏବଂ କାମ ଶୀଘ୍ର ଶେଷ କରିବା ପାଇଁ ନିଷ୍ଠାର ସହିତ ଉଦ୍ୟମ କରିବା । ୨.ପ୍ରତ୍ୟେକ ଓଡ଼ିଆ, ପ୍ରତି ଜଗନ୍ନାଥ ପ୍ରେମୀ ସମସ୍ତଙ୍କ ହୃଦୟରେ ଗୋଟିଏ ଇଚ୍ଛା, ମହାପ୍ରଭୁଙ୍କର ଏହି କାର୍ଯ୍ୟରେ ସାମିଲ ହେବା ତଥା ଏଥିରେ ନିଜର କିଛି ଅବଦାନ ରଖିବା । ଏଥିପାଇଁ ଆମ ସମସ୍ତଙ୍କୁ ସୁଯୋଗ ଦେବା । ୩. ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ତ୍ୟାଗ କରିଥିବା ପୁରୀବାସୀଙ୍କ ଆନ୍ତରିକ ଧନ୍ୟବାଦ ଜଣାଇବା । ଓଡ଼ିଆ ସ୍ୱାଭିମାନ ପାଇଁ ଯେଉଁ ମହାପ୍ରଭୁ ଦିନେ କାଞ୍ଚି ଅଭିଯାନରେ ବାହାରିଥିଲେ, ଭକ୍ତର ମାନ ରକ୍ଷା ପାଇଁ ଯେଉଁ ମହାପ୍ରଭୁ ନନ୍ଦିଘୋଷ ଛାଡ଼ି ବାଲି ରଥରେ ବିଜେ କରିଥିଲେ, ସେ କାଳିଆ ଠାକୁର ଜଗନ୍ନାଥଙ୍କ ସେବାରେ, ତାଙ୍କ ଧାମର ବିକାଶରେ ଆମେ ଯଦି କିଛି ବି ଅବଦାନ ରଖିପାରିବା, ତେବେ ଜଣେ ଓଡ଼ିଆ ଭାବରେ ଏହା ହେବ ଆମର ଶ୍ରେଷ୍ଠ ସୌଭାଗ୍ୟ ।