ସୁନାପୁଅ ନୀରଜ ଚୋପ୍ରା ଜିତିଲେ ରୌପ୍ୟ

ସୁନାପୁଅ ନୀରଜ ଚୋପ୍ରା ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ୮୮.୧୩ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନୀରଜ । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତିଲେ ନୀରଜ । ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ଅଞ୍ଜୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ୍ ଜିତିଥିବାବେଳେ ନୀରଜ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସ୍ପର୍ଣ୍ଣ ବିଜେତାଙ୍କ ଆଉ ଏକ ସଫଳତାକୁ ନେଇ ଚାରିଆଡେ ଖୁସିର ଲହରି ।

ଫାଇନାଲ ମୁକାବିଲାରେ ଗ୍ରେନାଡିଆନ୍ ଜାଭଲିନ ଥ୍ରୋୟର ଅଣ୍ଡସନ ପିଟର ୯୦.୫୪ ମିଟର ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଜୁଲାଇ ୨୨ରେ ଯୋଗ୍ୟତା ପର୍ୟ୍ୟାୟ ରାଉଣ୍ଡରେ ପ୍ରଥମ ଉଦ୍ୟମରେ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ୮୮.୩୯ ମିଟର ଜାଭଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଥିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ଇତିହାସ ସୃଷ୍ଟି କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା ।ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । କ୍ରମାଗତ ଭାବରେ ସଫଳତା ହାସଲ କରୁଛନ୍ତି ନୀରଜ ।